ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଶିବଭକ୍ତ କାଉଁଡିଆଙ୍କ ରାସ୍ତାରେ ଥିବା ଦୋକାନରେ ମାଲିକଙ୍କ ଅସଲି ନାମ ଲଗାଇବାକୁ ନେଇ ସରକାରଙ୍କ ନିଷ୍ପତ୍ତି ଦେଶବ୍ୟାପୀ ଚର୍ଚ୍ଚା ହେଉଛି। ଏବେ ଏହି ବିବାଦରେ ଯୋଗଗୁରୁ ବାବା ରାମଦେବଙ୍କ ପ୍ରବେଶ ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ ସେ ସମର୍ଥନ ଦେଇ କହିଛନ୍ତି, କୌଣସି ଭୁଲ ହେଇ ନାହିଁ।
ବାବା ରାମଦେବ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି, ପୂରା ବିଶ୍ବର ନଜର ଭାରତ ଉପରେ ରହିଛି। ରାମଦେବଙ୍କୁ ନିଜର ପରିଚୟ ସୃଷ୍ଟି କରିବାରେ କୌଣସି ସମସ୍ୟା ନାହିଁ। ରହମାନଙ୍କୁ କାହିଁକି ଅସୁବିଧା ହେବ। ହିନ୍ଦୁ ଓ ମୁସଲମାନ ସମସ୍ତଙ୍କୁ ନିଜର ପରିଚୟ ସୃଷ୍ଟି କରିବାର ଅଛି। ଆମର ଈଶ୍ବର ଏକ। ତେଣୁ କାହାରିକୁ ନିଜର ପରିଚୟ ସୃଷ୍ଟି କରିବାରେ କୌଣସି ଅସୁବିଧା ନାହିଁ।
ବାବା ରାମଦେବ କାଉଁଡିଆଙ୍କୁ ନେଇ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କାଉଁଡିଆମାନେ ଭଲ ଦେଖନ୍ତୁ ଓ ଅନୁଶାସନ ଜାରି ରଖନ୍ତୁ। ମୁଁ ସନାତନ ଧର୍ମର ଜନତାଙ୍କୁ ଆହ୍ବାନ କରୁଛି ଯେ, ସନାତନ ଧର୍ମକୁ ନିଜର ଆଚରଣରେ ଧାରଣ କରନ୍ତୁ। ଆମେ ନିଜର ଆଚରଣ ମାଧ୍ୟମରେ ପରିଚୟ ଦେବା ଉଚିତ।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ କାଉଁଡିଆମାନେ ଯିବା ରାସ୍ତାରେ ଦେଖାଯାଉଥିବା ଦେକାନ, ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଓ ଠେଲା ଗାଡ଼ିରେ ନାମଫଳକ ଲେଖିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଥିଲେ। ଏହା ଦ୍ବାରା କାଉଡିଆମାନେ ଜାଣିପାରିବେ ଯେ, କେଉଁ ଦୋକାନରେ କଉେଁ ଜିନିଷ ପତ୍ର ମିଳିପାରିବ। ଦୋକାନର ମାଲିକଙ୍କୁ ମଧ୍ୟ ନିଜର ନାମ ପ୍ରଦର୍ଶିତ କରିବାକୁ ପଡ଼ିବ। ଏତଦ ବ୍ୟତୀତ ଖାଦ୍ୟର ତାଲିକା ମଧ୍ୟ ଝୁଲାଇବାକୁ ପଡ଼ିବ।