କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାସ୍ଥିତ ଆରଜି କର ମେଡିକାଲ କଲେଜରେ ଗତ ୮ ତାରିଖ ରାତିରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ନେଇ ରାଜନୈତିକ ହଙ୍ଗାମା ଜାରି ରହିଛି। ବିଜେପି, କଂଗ୍ରେସ ଲଗାତାର ମମତା ସରକାରଙ୍କୁ ଘେରିବାରେ ଲାଗିପଡ଼ିଛନ୍ତି।
ବୁଧବାର ବିଜେପି ପଶ୍ଚିମବଙ୍ଗରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା। ବନ୍ଦ ସମୟରେ ବିଭିନ୍ନ ସ୍ଥାନରେ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଗୁରୁବାର ମମତା ସରକାରଙ୍କ ବିରୋଧରେ ବିଜେପି ବିକ୍ଷୋଭ ଜାରି ରଖିବ। ବିଜେପି ଆଜି କୋଲକାତାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ବିଜେପି ରାଜ୍ୟ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଅଗଷ୍ଟ ୨୯ରୁ ଆନ୍ଦୋଳନ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଦଳୀୟ କର୍ମୀମାନେ ଗୁରୁବାର ଏସପ୍ଲାନେଡ୍ ୱାଇ ଚ୍ୟାନେଲରେ ଧାରଣା ଦେବେ। ଆସନ୍ତା ଅଗଷ୍ଟ ୩୦ ତାରିଖରେ ଦଳର ମହିଳା ଶାଖା ରାଜ୍ୟ ମହିଳା ଆୟୋଗ କାର୍ଯ୍ୟାଳୟ ଘେରାଉ କରିବ।
କଂଗ୍ରେସ ମଧ୍ୟ ଆଜି କୋଲକାତାରେ ଏକ ରାଲି କରିବାକୁ ପ୍ରସ୍ତୁତି ଚଳାଇଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଆଜି କଲେଜ ଛକରୁ ଶ୍ୟାମ ବଜାର ପର୍ଯ୍ୟନ୍ତ ଶୋଭାଯାତ୍ରା କରିବେ। ଅପରାହ୍ନ ୨ଟାରେ କଂଗ୍ରେସର ଏହି ରାଲି ବାହାରିବ।
ଅଧିକ ପଢ଼ନ୍ତୁ: ସହପାଠୀ ୨ ନାବାଳକ କଲେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ