ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସ୍ମାର୍ଟଫୋନ ଓ ଲ୍ୟାପଟପ୍ ପରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ୁ ଆମଦାନୀ ଶୁଳ୍କ ପରିଧିରୁ ବାହାରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଟ୍ରମ୍ପଙ୍କ ଏହି ନିଷ୍ପତ୍ତିରେ ଲୋକପ୍ରିୟ ବୈଦ୍ୟୁତିକ ଉପକରଣର ଦାମ ବଢିବ ନାହିଁ । ଶୁକ୍ରବାର ଏହି ଘୋଷଣାପରେ ଆପଲ୍ ଓ ସାମସଙ୍ଗ ପରି ବଡ ଟେକ୍ କମ୍ପାନିକୁ ଅଧିକ ଫାଇଦା ମିଳିବ ।
ୟୁଏସ କଷ୍ଟମ୍ସ ଆଣ୍ଡ ବର୍ଡର ପ୍ରୋଟେକ୍ସନ କହିଛି ଯେ, ସ୍ମାର୍ଟଫୋନ, ଲ୍ୟାପଟପ, ହାର୍ଡ ଡ୍ରାଇଭ, ଫ୍ଲେଟ ପ୍ୟାନେଲ ମନିଟର ଓ କିଛି ଚିପ୍ସ କମ ଦାମରେ ମିଳି ପାରିବ । ସେମିକଣ୍ଡକ୍ଟର ବିଶିଷ୍ଟ ସାମଗ୍ରୀ ଏହି ତାଲିକାରେ ବି ସାମିଲ । ଅର୍ଥାତ ଏହି ସବୁ ସାମଗ୍ରୀ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗିବ ନାହିଁ । ଘରୋଇ ମ୍ୟାନୁଫେକଚରିଂକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏମିତି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ଏହି କୋହଳ ଦର୍ଶାଉଛି ଯେ, ଟ୍ରମ୍ପ ସ୍ୱୀକାର କରିଛନ୍ତି ଯେ, ବୈଦ୍ୟୁତିକ ଉପକରଣର ସପ୍ଲାଇ ଚେନ ପ୍ରାୟ ସଂପୂର୍ଣ୍ଣ ଭାବେ ଏସିଆରେ ରହିଛି । ଏହାକୁ ଆମେରିକା ସ୍ଥାନାନ୍ତର କରିବା ମଧ୍ୟ ସହଜ ନୁହେଁ । ବେଡବସ ସିକ୍ୟୁରିଟି ମୁତାବକ ପ୍ରାୟ ୯୦ ପ୍ରତିଶତ ଆଇଫୋନ ଚାଇନାରେ ନିର୍ମାଣ ହେଉଛି । ଅନ୍ୟପଟେ ଆମେରିକାର ଚୀନ ଉପରେ ଟାରିଫ ୧୪୫ ପ୍ରତିଶତ ରହିଛି ।
ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଟାରିଫ ଯୋଜନାର ଉଦ୍ଦେଶ୍ୟ ଆମେରିକା ମ୍ୟାନୁଫେକଚରିଂକୁ ପ୍ରୋତ୍ସାହନ ଦେବା ଏବଂ ଘରୋଇ ଶିଳ୍ପକୁ ସପୋର୍ଟ କରିବା । ଏହି ଯୋଜନାରେ ଅଧିକାଂଶ ଦେଶରୁ ଆମଦାନୀ ହେଉଥିବା ସାମାନ ଉପରେ ଅଧିକ ଶୁଳ୍କ ଲଗାଇବା ସାମିଲ । ବିଶେଷ କରି ଚାଇନା ଉପରେ ଲଗାଯାଇଥିବା ୧୪୫ ପ୍ରତିଶତ ଟାରିଫ । କିନ୍ତୁ ବିଶ୍ୱର ଅନ୍ୟ ୭୫ ଦେଶ ପାଇଁ ୧୦ ପ୍ରତିଶତ ଟାରିଫ ଲଗାଇଛି ଆମେରିକା । ଏହାର ଅବଧି ୯୦ ଦିନ ପାଇଁ ଦିଆଯାଇଛି ।