ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ୨୮ତମ ମ୍ୟାଚ୍ ଆଜି ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ଅପରାହ୍ଣ ୩ଟା ୩୦ରେ ଖେଳାଯିବ । ଏହା ରାଜସ୍ଥାନର ଏହି ହୋମ ଗ୍ରାଉଣ୍ଡରେ ୧୮ତମ ସିଜିନର ପ୍ରଥମ ମ୍ୟାଚ୍ । ଚଳିତ ସିଜିନରେ ରାଜସ୍ଥାନ ୫ଟି ମ୍ୟାଚ୍ ଖେଳି ୨ ବିଜୟ ଓ ୩ ପରାଜୟ ଭୋଗିଛି । ଅନ୍ୟପଟେ ରଜତ ପାଟିଦାରଙ୍କ ବେଙ୍ଗାଲୁରୁ ୫ଟି ମ୍ୟାଚରୁ ୩ଟି ଜିତିଥିବା ବେଳେ ୨ିରେ ପରାଜିତ ହୋଇଛି । ଅଙ୍କ ତାଲିକାରେ ଆରସିବି ପଞ୍ଚମ ଓ ରାଜସ୍ଥାନ ସପ୍ତମରେ ରହିଛି ।
ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ମୋଟ୍ ୫୭ଟି ମ୍ୟାଚ୍ ଖେଳା ଯାଇଛି । ପ୍ରଥମେ ବ୍ୟାଟିଂ କରିଥିବା ଦଳ ମାତ୍ର ୨୦ଟି ଜିତିଥିବା ବେଳେ ଲକ୍ଷ୍ୟର ପିଛା କରି ଦଳ ୩୭ ଥର ଜିତିଛନ୍ତି । ଟସ୍ ଜିତିଥିବା ଦଳ ୩୦ ଥର ଓ ଟସ୍ ହାରିଥିବା ଦଳ ୨୦ ଟି ମ୍ୟାଚ୍ ଜିତିଛନ୍ତି । ଏଠାରେ ସର୍ବୋଚ୍ଚ ସ୍କୋର ୨୧୭/୬ ରହିଛି ।
ରାଜସ୍ଥାନ ଓ ବେଙ୍ଗାଲୁରୁ ମଧ୍ୟରେ ଆଇପିଏଲରେ ମୋଟ୍ ୩୨ଟି ମ୍ୟାଚ୍ ଖେଳା ଯାଇଛି । ଏଥିରୁ ୧୫ଟି ମ୍ୟାଚ୍ ଆରସିବି ଓ ୧୪ଟି ମ୍ୟାଚ୍ ରାଜସ୍ଥାନ ଜିତିଛି । ବାକି ୩ଟି ମ୍ୟାଚ୍ ଫଳାଫଳ ବାହାରି ପାରିନି । ରାଜସ୍ଥାନ ବିପକ୍ଷରେ ଆରସିବି ସର୍ବାଧିକ ୨୦୦ ରନ କରିଛି । ଅନ୍ୟପଟେ ଆରସିବି ବିରୋଧରେ ରାଜସ୍ଥାନ ସବୁଠୁ ବଡ ୨୧୭ ରନ ସ୍କୋର କରିଛି ।
ଜୟପୁରର ସୱାଇ ମାନସିଂ ଷ୍ଟାଡିୟମର ପିଚ୍ କଳା ମାଟିରେ ପ୍ରସ୍ତୁତ ହୋଇଥାଏ । ଏଠାରେ ରନ କରିବା ସେତେ ସହଜ ନୁହେଁ । ଦ୍ରୁତ ବୋଲରଙ୍କୁ ଆକ୍ରମଣ କରି ବଡ ସ୍କୋର କରାଯାଇ ପାରିବ । ଏହି ପିଚରେ ସ୍ପିନରଙ୍କ ବିପକ୍ଷରେ ବଡ ସଟ୍ ଖେଳିବା ମୁସ୍କିଲ । ଆଜିର ମ୍ୟାଚରେ ହାଲୁକା ଟର୍ଣ୍ଣ ଦେଖିବାକୁ ମିଳିପାରେ । ଏଠାରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ପାଇଁ ୧୯୦ ରନ ଭଲ ସ୍କୋର କୁହାଯାଇ ପାରିବ । ତେଣୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ଠିକ୍ ହୋଇପାରେ ।