ଢାକା: ବାଂଲାଦେଶରେ ପୁଣି ଥରେ ସରକାର ବଦଳିବାର ସନ୍ଦେହ ବଢ଼ିଛି । ବାଂଲା ସେନା ମୁଖ୍ୟ ଜେନରାଲ ବକାର ୱକାର ଉଜ୍ ଜମାନ୍ ଋଷ ଗସ୍ତ ଥିବାବେଳେ ମହମ୍ମଦ ୟୁନୁସ ଅନ୍ତରୀଣ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସେନାର ୫ ଜଣ ଅଧିକାରୀଙ୍କୁ ଗୃହ ବନ୍ଦୀ କରାଯାଇଛି । ସେମାନେ ସରକାରୀ ବାସଭବନରୁ କେଉଁଆଡ଼େ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।
ବାଂଲାଦେଶର ଢାକାରେ ଛାତ୍ର ଆନ୍ଦୋଳନରେ ଭୂମିକା ଗ୍ରହଣ କରିଥିବାରୁ ବାଂଲାଦେଶୀ ସେନାର ୫ ଜଣ ନଜରବନ୍ଦୀ କରି ରଖାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ବ୍ରିଗେଡିୟର ଜେନେରାଲ ଇମ୍ରାନ ହମିଦ, RAB ରୁ କର୍ଣ୍ଣେଲ ଅବଦୁଲ୍ଲା ଅଲ୍-ମୋମେନ୍, ବ୍ରିଗେଡିୟର ଜକାରିଆ ହୁସୈନ, BGBର ଲେଫ୍ଟନାଣ୍ଟ କର୍ଣ୍ଣେଲ ମହମ୍ମଦ ରିଦୱାନୁଲ୍ ଇସଲାମ ଏବଂ ପୂର୍ବ ବଙ୍ଗ ରେଜିମେଣ୍ଟର ମେଜର ମହମ୍ମଦ ନୋମାନ ଅଲ୍ ଫାରୁକ୍ । ଯେଉଁ ବାଂଲାଦେଶୀ ସେନା ଅଧିକାରୀମାନଙ୍କୁ ଅଟକ ରଖାଯାଇଛି ସେମାନେ ଉଚ୍ଚପଦସ୍ଥ ସେନା ଅଧିକାରୀ। ଏହି ଅଧିକାରୀମାନଙ୍କ ବିରୁଦ୍ଧରେ ଛାତ୍ର ଆନ୍ଦୋଳନରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶ ଦେବାର ଅଭିଯୋଗ ଆସିଛି । ସମସ୍ତ ଅଧିକାରୀଙ୍କୁ ଢାକା କ୍ୟାଣ୍ଟନମେଣ୍ଟରେ ଗୃହବନ୍ଦୀ ରଖାଯାଇଛି । ଅଧିକାରୀମାନଙ୍କ ବିରୁଦ୍ଧରେ ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲରେ ଅଭିଯୋଗ କରାଯାଇଛି । ଜେନେରାଲ ହମିଦ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ADC ମଧ୍ୟ ଥିଲେ।
ଅନ୍ୟପକ୍ଷରେ ଢାକାର ଏକ କୋର୍ଟ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା, ତାଙ୍କ ଝିଅ ସାଇମା ୱାଜେଦ ପୁତୁଲ ଏବଂ ଅନ୍ୟ ୧୭ ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲାରେ ନୂତନ ଗିରଫ ପରୱାନା ଜାରି କରିଛନ୍ତି । ସେମାନଙ୍କ ବିରୁଦ୍ଧରେ ଠକେଇ ମାଧ୍ୟମରେ ଆବାସିକ ଜମି ଅଧିଗ୍ରହଣ କରିବାର ଅଭିଯୋଗ ଆସିଛି ।
ସେପଟେ ବାଂଲା ସେନା ମୁଖ୍ୟ ଜେନେରାଲ ୱକାର ଉଜ ଜମାନ 6 ଦିନିଆ ରୁଷ ଗସ୍ତରେ ଅଛନ୍ତି । ଏପ୍ରିଲ ୬ରୁ ଏପ୍ରିଲ ୧୧ ପର୍ଯ୍ୟନ୍ତ ରୁଷ ଗସ୍ତରେ ଅଛନ୍ତି ।