ନୂଆଦିଲ୍ଲୀ: ଆମେରିକା ଓ ଚୀନ ମଧ୍ୟରେ ଟ୍ରେଡ ୱାର ରରମରେ ପହଞ୍ଚିଛି । ଚୀନ ଏବେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଜବାବ ଦେଇ ଆମେରିକାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କକୁ ୮୪ ପ୍ରତିଶତରୁ ୧୨୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଏହି ନୂଆ ଟାରିଫ ଦର ଶନିବାର ଲାଗୁ ହେବ । ଏହା ସହିତ ଚୀନ କହିଛି ଯେ, ଯଦି ଆମେରିକା ଆଗକୁ ଆହୁରି ଟାରିଫ ବୃଦ୍ଧି କରିବ ତାର ଉଚିତ୍ ଜବାବ ଚୀନ ଦେବ । କାରଣ ଟ୍ରମ୍ପ ପ୍ରଶାସନର ନୀତି ମଜାକ ହୋଇ ସାରିଛି ।
ଆମେରିକା ଚୀନରୁ ଆମଦାନୀ ସାମଗ୍ରୀ ଉପରେ ଟାରିଫ ୧୪୫ ପ୍ରତିଶତକୁ ବୃଦ୍ଧି କରିବା ପରେ ଚୀନ ଏହି ସଦ୍ୟତମ ନିଷ୍ପତ୍ତି ନେଇଛି । ଚୀନ କହିଛି, ଏମିତି ପରିସ୍ଥିତିରେ ଆମେରିକା ସହ କାରବାର କରିବା ଠିକ୍ ନୁହେଁ । ଏହା ପୂର୍ବରୁ ବୁଧବାର ଚୀନ ଆମେରିକାର ସାମଗ୍ରୀ ଉପରେ ୮୪ ପ୍ରତିଶତ ଟାରିଫ ଲଗାଇବାକୁ ଘୋଷଣା କରିଥିଲା ।
ଆମେରିକା ଓ ଚୀନ ମଧ୍ୟରେ ଏହି ଟାରିଫ ୱାର ଚଳିତ ମାସରୁ ଜାରି ରହିଛି । ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ସାମଗ୍ରୀ ଉପରେ ୩୪ ପ୍ରତିଶତ ଟାରିଫ ଲଗାଇବାକୁ ଘୋଷଣା କରିଥିଲେ । ଏହି ଶୁଳ୍କ ଏପ୍ରିଲ ୯ରୁ ଲାଗୁ ହେବାର ଥିଲା । କିନ୍ତୁ ଏହା ଲାଗୁ କରିବାର ଠିକ୍ ପୂର୍ବରୁ ଟ୍ରମ୍ପ ଅଚାନକ ଏଥିରେ ଆହୁରି ବୃଦ୍ଧି ଘୋଷଣା କରିଥିଲେ । ଆଉ ଚୀନ ଏହାର ତୁରନ୍ତ ଜବାବ ଦେଇଥିଲା । ବୁଧବାର ବେଜିଂ ଆମେରିକାରୁ ଆମଦାନୀ ସାମଗ୍ରୀ ଉପରେ ଟାରିଫକୁ ୫୦ ପ୍ରତିଶତରୁ ୮୪ ପ୍ରତିଶତ କରିବାକୁ ଘୋଷଣା କରିଥିଲା ।
ଏହାର ପରବର୍ତ୍ତୀ ଦିନ ଅର୍ଥାତ ଗୁରୁବାର ଆମେରିକା ଆଉ ଏକ ବଡ ପଦକ୍ଷେପ ନେଇ ଚୀନରୁ ଆମଦାନୀ ସାମଗ୍ରୀ ଉପରେ ଟାରିଫକୁ ବଢାଇ ୧୪୫ ପ୍ରତିଶତ କରିଛି । ଅନ୍ୟପଟେ ଅନ୍ୟ ଦେଶକୁ ୯୦ ଦିନର ଅସ୍ଥାୟୀ କୋହଳ ଘୋଷଣା କରିଥିଲେ ଟ୍ରମ୍ପ ପ୍ରଶାସନ । ଅର୍ଥାତ ଏହି ୯୦ ଦିନ ଯାଏଁ ଦୁନିଆର ୭୫ ଦେଶରୁ ଆମଦାନୀ ସାମଗ୍ରୀ ଉପରେ କେବଳ ୧୦ ପ୍ରତିଶତ ଶୁଳ୍କ ଲାଗିବ ।
ଆଉ ଜବାବ ଦେବନି ଚୀନ
ଚୀନର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ବର୍ତ୍ତମାନ ଟାରିଫ ରେଟ୍ ଉପରେ ଆମେରିକାର ସାମଗ୍ରୀ ଚୀନ ବଜାର ପାଇଁ ଯୋଗ୍ୟ ନୁହେଁ । ଯଦି ଆମେରିକା ଚୀନର ରପ୍ତାନୀ ସାମଗ୍ରୀ ଉପରେ ଆହୁରି ଟାରିଫ ବଢାଏ ତେବେ ଚୀନ ଏହାକୁ ଅଣଦେଖା କରିବ । କାରଣ ୱାଶିଂଟନର ବାରମ୍ବାର ଟାରିଫ ବଢାଇବା ନିଷ୍ପତ୍ତି କେବଳ ଏକ ସଂଖ୍ୟାର ଖେଳ ହୋଇ ରହିଗଲା । ଯାହା ବାସ୍ତବରେ ଅର୍ଥହୀନ ।