ମସ୍କୋ: ରୁଷିଆରେ ଘଟିଛି ଏକ ବଡ଼ ବିମାନ ଦୁର୍ଘଟଣା। ସାଇବେରିଆର କେମେରୋଭୋ ଅଞ୍ଚଳରେ ଏକ ସାମରିକ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ସମସ୍ତ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ରୁଷୀୟ ଗଣମାଧ୍ୟମ ରିପୋର୍ଟ କରିଛି। ମଙ୍ଗଳବାର ଏହି ଦୁର୍ଘଟଣା ଘଟିଥିବାବେଳେ ଘଟଣାସ୍ଥଳରେ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି। ବିମାନଟି ଆକାଶରେ ଥିବାବେଳେ ନିଆଁ ଲାଗିବା ପରେ ତଳକୁ ଖସି ବିସ୍ଫୋରଣ ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଖବର ମିଳିଛି।
ଉଡ଼ାଣ ସମୟରେ ଲାଗିଥିଲା ନିଆଁ
ରୁଷିଆର ସାଇବେରିଆ ଅଞ୍ଚଳର କେମେରୋଭୋ ପ୍ରଦେଶର ୟାଗୁନୋଭୋ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ An-12 ସାମରିକ ପରିବହନ ବିମାନ ଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ବର୍ଣ୍ଣନା ଅନୁସାରେ, ବିମାନଟି ଉଡ଼ୁଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। ପରେ ଏହା ଦ୍ରୁତ ଗତିରେ ତଳକୁ ଖସି ଭୂମିରେ ପିଟି ହେବା ସହ ବଡ଼ ବିସ୍ଫୋରଣ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ନିଆଁ ଓ ଧୂଆଁର ଆସ୍ତରଣ ସୃଷ୍ଟି ହୋଇଥିଲା।
ଘଟଣାସ୍ଥଳରେ ପହଞ୍ଚିଲେ ରାଜ୍ୟପାଳ
କେମେରୋଭୋ ଅଞ୍ଚଳର ରାଜ୍ୟପାଳ ଇଲିଆ ସେରେଡ୍ୟୁକ୍ ସୋସିଆଲ୍ ମିଡିଆ ମାଧ୍ୟମରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ୟାଗୁନୋଭୋ ଅଞ୍ଚଳରେ ଏକ ବିମାନଜନିତ ଦୁର୍ଘଟଣା ଘଟିଥିବା ସେ ଜଣାଇଥିଲେ। ଘଟଣାସ୍ଥଳରେ ଜରୁରୀକାଳୀନ ସେବା ଓ ଉଦ୍ଧାରକାରୀ ଦଳ ପହଞ୍ଚିଥିବାବେଳେ ସେ ନିଜେ ମଧ୍ୟ ସେଠାକୁ ଯାଇଥିଲେ। ପ୍ରଭାବିତ ଅଞ୍ଚଳକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା ରାଜ୍ୟପାଳ କହିଛନ୍ତି।
କେଉଁଠାରୁ କେଉଁଠି ଯାଉଥିଲା ବିମାନ ?
ପ୍ରାଥମିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିମାନଟି ନୋଭୋସିବିର୍ସ୍କରୁ କ୍ରାସ୍ନୋୟାର୍ସ୍କ ଅଞ୍ଚଳର କାନ୍ସ୍କ ଅଭିମୁଖେ ଯାତ୍ରା କରୁଥିଲା। ଏହା ଏକ ସାମରିକ ପରିବହନ ବିମାନ ହୋଇଥିବାରୁ ଏହାର ଯାତ୍ରା ସମ୍ପର୍କିତ ତଥ୍ୟକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ବିମାନଟି କେଉଁ କାରଣରୁ ଦୁର୍ଘଟଣାର ଶିକାର ହେଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଯାନ୍ତ୍ରିକ ତ୍ରୁଟି ନା ଅନ୍ୟ କୌଣସି କାରଣରୁ ଏଭଳି ଘଟିଲା, ସେନେଇ ତଦନ୍ତ ଚାଲିଛି।
ତଦନ୍ତ ଆରମ୍ଭ, ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିକ୍ରିୟାକୁ ଅପେକ୍ଷା
ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସମ୍ପୃକ୍ତ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଘଟଣା ନେଇ ଆନୁଷ୍ଠାନିକ ବିବୃତି ଆସିନାହିଁ। ରୁଷୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିମାନରେ ଥିବା ୧୭ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଦୁର୍ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ଓ ମୃତକଙ୍କ ପରିଚୟ ସମ୍ପର୍କରେ ଅଧିକାରୀକ ତଥ୍ୟକୁ ଅପେକ୍ଷା କରାଯାଇଛି।