ପ୍ରବଳ ମୂଷଳଧାରା ବର୍ଷା ଯୋଗୁଁ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ନଦୀ, ନାଳ, ଡ୍ୟାମରେ ଏବେ ବନ୍ୟାଜଳ ପ୍ରବାହିତ ହେଉଛି । ଏହାରି ଭିତରେ ବନ୍ୟା ପାଣିରେ ଜଣେ ରିପୋର୍ଟର ଲାଇଭ ଭିଡ଼ିଓ କରୁଥିବା ଦୃଶ୍ୟ ବେଶ୍ ଭାଇରାଲ ହେବାରେ ଲାଗିଛି । ରିପୋର୍ଟର ଜଣକ ବନ୍ୟାର ରିପୋର୍ଟିଂ କରୁଥିବାବେଳେ ନିଜେ ସ୍ରୋତର ଶିକାର ହୋଇଛନ୍ତି ।
ସାମ୍ବାଦିକ ଜଣକ ରାୱଲପିଣ୍ଡିର ଚାହାନ ଡ୍ୟାମ ନିକଟରେ ବନ୍ୟାର ରିପୋର୍ଟିଂ କରୁଥିଲେ । ସେହି ସମୟରେ ସେ ପ୍ରବଳ ବନ୍ୟା ସ୍ରୋତରେ ଭାସିବାକୁ ଲାଗିଥିଲେ । ରିପୋର୍ଟର ଜଣକ ବନ୍ୟା ସ୍ରୋତରେ ତାଙ୍କ ବେକ ପର୍ଯ୍ୟନ୍ତ ପାଣିରେ ଠିଆ ହୋଇ ଲାଇଭ୍ କଭରେଜ୍ କରୁଥିଲେ । ହଠାତ୍ ପାଣିରେ ସ୍ରୋତରେ ବଢିବାରୁ ସେ ସେହି ବନ୍ୟାର ଶିକାର ହୋଇଗଲେ । ଯାହାର ଭିଡିଓ ଭାଇରାଲ ହେବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ହାତରେ ମାଇକ୍ ଏବଂ ବେକ ପର୍ଯ୍ୟନ୍ତ ପାଣି...
ଭିଡିଓରେ ଦେଖିବାକୁ ମିଳିଛି ଯେ ରିପୋର୍ଟିଂ ସମୟରେ ହଠାତ୍ ପାଣିର ପ୍ରବାହ ଏତେ ବଢ଼ିଗଲା ଯେ ସାମ୍ବାଦିକ ଜଣକ ଧୀରେ ଧୀରେ ବହିବାକୁ ଲାଗିଲେ। ଏହି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଏବଂ ବିଚଳିତ କରିଛି। ଅନେକ ଲୋକ ସାମ୍ବାଦିକଙ୍କ ସାହସକୁ ପ୍ରଶଂସା କରୁଥିବା ବେଳେ, କିଛି ଲୋକ ତାଙ୍କ ଜୀବନକୁ ବିପଦରେ ପକାଇବା ଉପରେ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହି ସାମ୍ବାଦିକ କେଉଁ ଚ୍ୟାନେଲରେ କାମ କରନ୍ତି ତାହା ନିଶ୍ଚିତ ହୋଇନାହିଁ।
ଜୁନ୍ ୨୬ ତାରିଖରୁ ପାକିସ୍ତାନରେ ନିରନ୍ତର ବର୍ଷା ଲାଗିରହିଛି । ବର୍ଷା ଏବଂ ବନ୍ୟା ଯୋଗୁଁ ପ୍ରାୟ ୧୧୬ ଜଣ ପ୍ରାଣ ହରାଇଛନ୍ତି। ୨୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। କୁହାଯାଉଛି ଯେ ଏହି ବିପର୍ଯ୍ୟୟରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ପାକିସ୍ତାନର ଏହି ଧ୍ବଂସାତ୍ମକ ବିପର୍ଯ୍ୟୟରେ ସର୍ବଧିକ କ୍ଷୟକ୍ଷତି ପଞ୍ଜାବରେ ଘଟିଛି । ଯେଉଁଠାରେ ୪୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଉତ୍ତର-ପଶ୍ଚିମ ଖାଇବର ପଖତୁନଖ୍ୱାରେ ୩୭ ଜଣଙ୍କର ମୃତ୍ୟୁ ଘଟିଛି।