ନୂଆଦିଲ୍ଲୀ: ପଞ୍ଚମ ଦିନରେ ଶାନ୍ତି ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା ହୋଇଛି । ଜାପାନର ସଂଗଠନ ନିହୋନ୍ ହିଡାନକିଓଙ୍କୁ ମିଳବ ନୋବେଲ ଶାନ୍ତି ପୁରସ୍କାର । ପରମାଣୁ ଅସ୍ତ୍ର ବିରୋଧରେ ଅଭିଯାନ ପାଇଁ ଏହି ସଂଗଠନକୁ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ । ଏ ନେଇ ଶୁକ୍ରବାର ନୋବେଲ ଆସେମ୍ବଲିରେ ଘୋଷଣା ହୋଇଛି ।
ନରୱେ ନୋବେଲ କମିଟି ନିକଟରେ ଶାନ୍ତି ପୁରସ୍କାର ପାଇଁ ମୋଟ ୨୮୬ ଜଣ ପ୍ରାର୍ଥୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ଜାପାନର ନିହୋନ୍ ହିଡାନକିଓ ସଂଗଠନଙ୍କୁ ବିଜେତା ଘୋଷଣା କରାଯାଇଛି । ୧୯୪୫ ମସିହାରେ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ଦୁଇ ସହର ହିରୋସିମା ଓ ନାଗାସାକି ଉପରେ ପରମାଣୁ ଆକ୍ରମଣ କରିଥିଲା । ଏଥିରେ ଜାପାନର ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । କିନ୍ତୁ ଜାପାନ ଆମେରିକା ଉପରେ ପ୍ରତିଶୋଧ ନ ନେଇ କିପରି ପରମାଣୁ ଅସ୍ତ୍ରର ବ୍ୟବହାରକୁ ରୋକା ଯାଇ ପାରିବ ସେ ନେଇ ଅଭିଯାନ ଆରମ୍ଭ କରିଥିଲା । ଆଉ ଏହି ଅଭିଯାନରେ ନିହୋନ୍ ହିଡାନକିଓ ସଂଗଠନ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।
୨୦୨୪ ବର୍ଷ ପାଇଁ ଚିକିତ୍ସା କ୍ଷେତ୍ରରେ ଦୁଇ ଜଣ ବୈଜ୍ଞାନିକ ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରୀ ରୁବକୁନ, ପଦାର୍ଥ ବିଜ୍ଞାନରେ ଜନ୍ ଜେ ହପଫିଲଡ ଏବଂ ଜେଫ୍ରି ଇ. ହିଣ୍ଟନ ଏବଂ ରସାୟନ ବିଜ୍ଞାନରେ ଡେଭିଡ୍ ବେକର କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ (ଗଣନାକାରୀ ପ୍ରୋଟିନ ଡିଜାଇନ୍ ) ଏବଂ ଯୁଗ୍ମ ଭାବରେ ଡେମିସ୍ ହାସବିସ୍ ଏବଂ ଜନ୍ ଏମ୍. ଜମ୍ପର ନୋବେଲ ବିଜେତା ହୋଇଛନ୍ତି । ସାହିତ୍ୟରେ ଦକ୍ଷିଣ କୋରିଆର ସାହିତ୍ୟିକା ହାନ୍ କାଙ୍ଗ୍ ନାମ ଘୋଷଣା କରାଯାଇଛି ।
ପ୍ରତିବର୍ଷ ପାଞ୍ଚଟି କ୍ଷେତ୍ର ଯଥା ମେଡିସିନ, ଫିଜିକ୍ସ, କେମିଷ୍ଟ୍ରୀ, ସାହିତ୍ୟ, ଅର୍ଥନୀତି ଓ ଶାନ୍ତିରେ ଉତ୍କୃଷ୍ଟତା ପାଇଁ ନୋବେଲ ପୁରସ୍କାର ଦିଆଯାଏ । ସ୍ୱିଡେନର ରସାୟନବିତ୍ ଏବଂ ବୈଜ୍ଞାନିକ ଆଲଫ୍ରେଡ ନୋବେଲ ଏହି ସମ୍ମାନଜନକ ପୁରସ୍କାରର ସୃଷ୍ଟିକର୍ତ୍ତା। ତାଙ୍କ ନାମ ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ଦିଆଯାଉଛି । ଡିସେମ୍ବର ୧୦ରେ ଆଲଫ୍ରେଡ ନୋବେଲଙ୍କ ତିରୋଧାନ ଦିନ ଅବସରରେ ନୋବେଲ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ ।.