ନୂଆଦିଲ୍ଲୀ: ଇସ୍ରାଏଲ ବିରୋଧରେ ଲଢେଇ କରୁଥିବା ଉଗ୍ରବାଦୀ ସଂଗଠନ ହେଜବୁଲ୍ଲା ନିଜର ନୂଆ ମୁଖିଆ ଚୟନ କରିଛି । ନଇମ କାସିନ ଏବେ ଏହି ସଂଗଠନର ନୂଆ ମୁଖିଆ ହୋଇଛନ୍ତି । ଗତ ମାସରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ନିହତ ହୋଇଥିବା ନସରଲ୍ଲାଙ୍କ ସ୍ଥାନ ନେବେ ନଇମ । ସେ ନସରଲ୍ଲାଙ୍କ ସ୍ଥାନ ନେବା ନେଇ ଦୀର୍ଘ ସମୟରୁ ଚର୍ଚ୍ଚା ଜାରି ରହିଥିଲା। ଆଉ ହେଜବୁଲ୍ଲା ମଙ୍ଗଳବାର ଏହି ସୂଚନା ଦେଇଛି ।
ସୂଚନାଯୋଗ୍ୟ, କାସିମ ଦୀର୍ଘ ବର୍ଷରୁ ନସରଲ୍ଲାଙ୍କ ସହାୟକ ଥିଲେ ଏବଂ ନସରଲ୍ଲାଙ୍କ ମୃତ୍ୟୁ ପରେ ଏହି ଚରମପନ୍ଥୀ ସଂଗଠନର କାର୍ଯ୍ୟକାରୀ ମୁଖ୍ୟ ଭାବେ କାମ କରୁଥିଲେ । ହେଜବୁଲ୍ଲା ଏନେଇ ଏକ ବୟାନ ଜାରି କରି କହିଛି ଯେ, ନଇମ କାସିମଙ୍କୁ ଶୁରା କାଉନସିଲ ହେଜବୁଲ୍ଲାର ମୁଖ୍ୟ ଭାବେ ଚୟନ କରିଛି। ସେ ୧୯୯୧ରୁ ହେଜବୁଲ୍ଲାର ଉପ ମୁଖ୍ୟ ଭାବେ କାମ କରୁଥିଲେ।
ତତ୍କାଳୀନ ମହାସଚିବ ଅବ୍ବାସ ଅଲ-ମୁସାଭୀ ତାଙ୍କୁ ସଂଗଠନର ଉପପ୍ରମୁଖ ନିଯୁକ୍ତ କରିଥିଲେ । ଏହାପରେ ୧୯୯୨ ମସିହାରେ ଇସ୍ରାଏଲ୍ ଆକ୍ରମଣରେ ଅଲ୍-ମୁସାଭୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ନସରଲ୍ଲା ସଂଗଠନର ମୁଖ୍ୟ ହୋଇଥିଲେ ଏବଂ କାସିମ ଉପମୁଖ୍ୟ ଭାବେ କାମ କରିଥିଲେ । ଏହାସହ ହେଜବୁଲ୍ଲାର ମୁଖପାତ୍ର ଭାବେ କାସିମ ବିଦେଶୀ ମିଡିଆରେ ସଂଗଠନ ମାମଲା ବୁଝୁଥିଲେ । ଯେପର୍ଯ୍ୟନ୍ତ ବିଜୟ ନମିଳିଛି ସେପର୍ଯ୍ୟନ୍ତ ନସରଲ୍ଲାଙ୍କ ନୀତିରେ ଆଗକୁ ବଢିବା ଜାରି ରଖିବ ବୋଲି ହେଜବୁଲ୍ଲା କହିଛି ।