ଭୁବନେଶ୍ୱର: ପୁଣିଥରେ ବାଂଲାଦେଶର ରାଜନୀତିରେ ଆଉ ଏକ ମୋଡ଼ ଦେଖିବାକୁ ମିଳିପାରେ । ବାଂଲାଦେଶର ଶାସନ ଖୁବଶୀଘ୍ର ମହମ୍ମଦ ୟୁନୁସ୍ ଙ୍କ ହାତରୁ ବାଂଲାଦେଶ ସେନାର ହାତକୁ ଯାଇପାରେ । ମହମ୍ମଦ ୟୁନୁସ୍ ଙ୍କ ଅନ୍ତରୀଣ ସରକାର ହାତରୁ କ୍ଷମତା ଛଡ଼ାଇ ନେଇପାରନ୍ତି ୱକର - ଉଜ - ଜମାନଙ୍କ ନେତୃତ୍ୱାଧୀନ ବାଂଲାଦେଶ ସେନା । ଏନେଇ ସେନା ପକ୍ଷରୁ ସୋମବାର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ବଂଲାଦେଶର ପ୍ରମୁଖ ସେନା ଅଧିକାରୀ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ପାଞ୍ଚ ଲିଉଟେନାଣ୍ଟ ଜେନେରାଲ , ୮ଜଣ ମେଜର ଜେନେରାଲସ୍, କମାଣ୍ଡିଙ୍ଗ ଅଧିକାରୀଙ୍କ ସହିତ ସେନାର ମୁଖ୍ୟ କାର୍ଯ୍ୟାଳୟର ଅଧିକାରୀ ମାନେ ଏହି ବୈଠକରେ ସାମିଲ ହୋଇଥିଲେ ।
ଗତବର୍ଷ ଅଗଷ୍ଟ ମାସରେ ଶେଖ ହସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ୍ ର ପତନ ପରେ ମହମ୍ମଦ ୟୁନୁସ୍ ଙ୍କ ଦ୍ୱାରା ଗଠିତ ଅନ୍ତରୀଣ ସରକାରଙ୍କ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ କମିବାରେ ଲାଗିଛି । ଏହାକୁ କେନ୍ଦ୍ର କରି ବୈଠକରେ ଆଲୋଚନା କରାଯାଇଥିଲା ।
ବିଶ୍ଵସ୍ଥ ସୂତ୍ରରୁ ପ୍ରକାଶ ବାଂଲାଦେଶର ସେନା ରାଷ୍ଟ୍ରପତିଙ୍କୁ ଦେଶର ଆର୍ଥନୀତିକ, ରାଜନୀତିକ ଅସ୍ଥିରତା ବିଷୟରେ ଅବଗତ କରାଇ ଏକ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ୟୁନୁସ୍ ଙ୍କ ସରକାରକୁ କ୍ଷମତାରୁ ହଟାଇବା ପାଇଁ ଆଲୋଚନା ଜାରି ରହିଛି ।
ଅନ୍ୟପକ୍ଷରେ ଦେଶରେ ଅନେକ ରାଜନୈତିକ ଦଳ ଓ ଛାତ୍ରନେତା ମାନେ ସେନାର ନେତୃତ୍ୱ ଗ୍ରହଣ କରିବା ପ୍ରସଙ୍ଗରେ ଅସନ୍ତୁଷ୍ଟ ରହିଛନ୍ତି । ସେମାନେ ସେନା ବିରୁଦ୍ଧରେ ପ୍ରଦର୍ଶନ କରିବା ସହିତ ସେନା ମୁଖ୍ୟ ଭାରତର ଅଭିମୁଖ୍ୟର ପ୍ରଭାବିତ ହୋଇଥିବାର ଅଭିଯୋଗ ଆଣିଛନ୍ତି । କେବଳ ଏତିକି ନୁହେଁ ସେନା ପୁନର୍ବାର ଶେଖ ହସିନାଙ୍କୁ କ୍ଷମତାକୁ ଆଣିବା ପ୍ରଚେଷ୍ଟାରେ ଅଛି ବୋଲି ଛାତ୍ରନେତା ତଥା ଅନ୍ୟାନ୍ୟ ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି । ତେବେ ସେନା ଏହି ସବୁ ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ବୋଲି ଦର୍ଶାଇଛି ।