ନୂଆଦିଲ୍ଲୀ: ପାକିସ୍ତାନ ଇସଲାମାବାଦରେ ବଡ଼ କାର୍ ବିସ୍ଫୋରଣ ହୋଇଛି । ମଙ୍ଗଳବାର ଇସଲାମାବାଦ କୋର୍ଟ ବାହାରେ ମଧ୍ୟାନ ୧୨ଟା ୩୦ ସମୟରେ କାର୍ ବିସ୍ଫୋରଣ ଘଟିଛି । ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବେଳେ ଅନେକ ଆହତ ହୋଇଛନ୍ତି ।
କାରଟି କୋର୍ଟ ପରିସରରେ ଥିବା ପାର୍କିଂରେ ଛିଡ଼ା ହୋଇଥିବା ସମୟରେ ବିସ୍ଫୋରଣ ହୋଇଥିଲା । ଯାହାର ଭୟଙ୍କର ଶବ୍ଦ ବହୁତ ଦୂର ପର୍ଯ୍ୟନ୍ତ ଶୁଭିଥିଲା । ସେହି ସମୟରେ କୋର୍ଟରେ ଅନେକ ଲୋକ ଉପସ୍ଥିତ ଥିଲେ । ଗୁରୁତର ଲୋକଙ୍କୁ ତୁରନ୍ତ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଫରେନସିକ୍ ଟିମ ଘଟଣାସ୍ଥାଳରେ ପହିଁଚିଛି । ସୁରକ୍ଷା ବ୍ୟବସ୍ଥାରେ ଢିଲା ଯୋଗୁଁ ଏପରି ହୋଇଥିବା କୁହାଯାଉଛି । ପାର୍କିଂ ସ୍ଥାନରେ ଥିବା ଅନ୍ୟ କାର୍ ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି । କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ା ଯିବା ସହିତ ବିସ୍ଫୋରଣ ସ୍ଥଳକୁ ନାକାବନ୍ଦୀ କରି ଯାଞ୍ଚ ଆରମ୍ଭ ହୋଇଥିବା ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ।
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏହା ଆଫଗାନିସ୍ତାନର ଆକ୍ରମଣ ବୋଲି କହିଛନ୍ତି । ପାକ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଦେଶ ଏବେ ବଡ଼ ବିଷମ ପରିସ୍ଥିତି ଦେଇ ଗତି କରୁଛି । ବର୍ତ୍ତମାନ ଦେଶର ଯୁଦ୍ଧ ସ୍ଥିତି ରହିଛି । ଯାହାକୁ ରୋକିବାକୁ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ସକ୍ଷମ ଅଟେ । କେବଳ ସୀମା କିମ୍ବା ବେଲୁଚିସ୍ତାନର ମାମଲା ନୁହେଁ ବରଂ ସମଗ୍ର ପାକିସ୍ତାନ ପାଇଁ ଏହା ବିପଦ ଅଟେ ।