ନୂଆଦିଲ୍ଲୀ: ଆମେରିକାରେ ସଟଡାଉନ ଯୋଗୁଁ ସ୍ଥିତି ଉଦବେଗଜନକ ରହିଛି । ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ବିମାନ ଚଳାଚଳରେ ମଧ୍ୟ ସଙ୍କଟଜନକ ସ୍ଥିତି ଦେଖା ଦେଇଛି । ରବିବାର ବିମାନ କମ୍ପାନି ୩୩୦୦ ଉଡାଣ ରଦ୍ଦ କରିଛନ୍ତି । ପରିବହନ ମନ୍ତ୍ରୀ ସିନ ଡଫି ଚେତାବନୀ ଦେଇଛନ୍ତି ଯେ, ଯଦି ଟ୍ରମ୍ପ ସରକାରଙ୍କ ସରକାରୀ କାମ ପାଇଁ ଅର୍ଥର ଅଭାବ ଏମିତି ଜାରି ରହେ ତେବେ ପୂରା ଦେଶରେ ବିମାନ ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇପାରେ । ଦେଶର ୪୦ ସବୁଠୁ ବ୍ୟସ୍ତବହୁଳ ଏୟାରପୋର୍ଟରେ ବିମାନ ଚଳାଚଳ ପ୍ରଭାବ ତୃତୀୟ ଦିନ ପର୍ଯ୍ୟନ୍ତ ଜାରି ରହିଛି ।
ଏତେ ମାତ୍ରାରେ ବିମାନ ଉଡାଣ ପ୍ରଭାବିତ ହେବା ପରେ ସଟଡାଉନକୁ ସମାପ୍ତ କରିବା ନେଇ ସଙ୍କେତ ମିଳିଛି । ଡେମୋକ୍ରାଟିକ ପାର୍ଟିର ନେତାଙ୍କ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା ଉପରେ ସବସିଡି ବିସ୍ତାର କରିବା ଗ୍ୟାରେଣ୍ଟି ବିନା ଆଲୋଚନା କରିବାକୁ ସହମତି ପ୍ରକାଶ କରିଛି । କିନ୍ତୁ ଏହାକୁ ନେଇ ଅନେକ ସଦସ୍ୟ ଅସନ୍ତୁଷ୍ଟ ଅଛନ୍ତି । ସେମାନଙ୍କ କହିବା କଥା ଆମେରିକାବାସୀଙ୍କ ହିତ ପାଇଁ ସବସିଡି ନେଇ ଲଢେଇ ଜାରି ରହୁ ।
ଅନ୍ୟପଟେ ଆମେରିକା ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ(ଏଫଏଏ) ଦେଶ ସଟଡାଉନ ମଧ୍ୟରେ ସମଗ୍ର ଦେଶରେ ଉଡାଣ ଚଳାଚଳ କମ କରିବାକୁ ଆଦେଶ ଦେଇଛନ୍ତି । ଅନେକ ବିମାନ କମ୍ପାନିର ଅଧିକାରୀ ଏବଂ କର୍ମଚାରୀ ବେତନ ନ ମିଳିବା କାରଣରୁ କାମ ବନ୍ଦ କରି ଦେଇଛନ୍ତି । ଏଥିପାଇଁ ଟ୍ରମ୍ପ ସରକାରଙ୍କ ପକ୍ଷରୁ ବିମାନ ଚଳାଚଳ କମ କରିବା ଆଦେଶ ଜାରି କରାଯାଇଛି । କେବଳ ରବିବାର ହିଁ ପ୍ରାୟ ୭ ହଜାର ଉଡାଣ ବିଳମ୍ବିତ ରହିଥିବା ବେଳେ ୨୧୦୦ ରୁ ଅଧିକ ଉଡାଣ ରଦ୍ଦ ହୋଇଛି । ଏହା ପୂର୍ବରୁ ଶୁକ୍ରବାର ହଜାରେରୁ ଅଧିକ ଓ ଶନିବାର ୧୫୦୦ରୁ ଅଧିକ ଉଡାଣ ରଦ୍ଦ କରାଯାଇଥିଲା ।
Also read: ଆରଏସ୍ଏସ୍ କାର୍ଯ୍ୟାଳୟ, ଦିଲ୍ଲୀ ଉପରେ ଆକ୍ରମଣ ପାଇଁ ଷକ୍ଷଯନ୍ତ୍ର କରିଥିଲା ଆଇଏସଆଇଏସ