ନୂଆଦିଲ୍ଲୀ: ବାଂଲାଦେଶର ୟୁନୁସ୍ ସରକାରଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଶେଖ୍ ହସିନା ସରକାରଙ୍କୁ ଶାସନରୁ ଗାଦିଚ୍ୟୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିବା ନାହିଦ ଇସ୍ଲାମ୍ ପଦରୁ ଇସ୍ତଫା ଦେଇଛନ୍ତି । ବାଂଲାଦେଶ ଅନ୍ତରୀଣ ସରକାରରେ ନାହିଦ୍ କ୍ୟାବିନେଟ୍ ମନ୍ତ୍ରୀ ଦାୟିତ୍ୱରେ ଥିଲେ ।
ନାହିଦ ଇସଲାମ୍ ଅନ୍ତରୀଣ ସରକାର ମୁଖିଆ ୟୁନୁସଙ୍କୁ ମଙ୍ଗଳବାର ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସେ କ୍ୟାବିନେଟ୍ ସହିତ ସମସ୍ତ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି ନାହିଦ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୟୁନୁସଙ୍କ ସରକାରୀ ବାସଭବନରେ ପହଁଚିବାବେଳେ ତାଙ୍କ କାରରେ ସରକାରୀ ପତାକା ଲଗାଯାଇଥିଲା କିନ୍ତୁ ସେଠାରୁ ବାହାରିବା ପରେ ତାଙ୍କ କାରରେ ସେହି ପତାକା ନ ଥିବା ବୋଲି କୁହାଯାଉଛି ।
ନାହିଦ ୟୁନୁସ ସରକାରଙ୍କ କାର୍ଯ୍ୟ ପନ୍ଥାକୁ ନେଇ ଅସନ୍ତୋଷ ଥିଲେ । ତେଣୁ ସେ ପଦ ଛାଡ଼ି ପାରନ୍ତି ବୋଲି କିଛି ଦିନ ହେବ ଆଲୋଚନା କରାଯାଉଥିଲା । । ଏହା ପରେ ସେ ନିଜର ସ୍ୱତନ୍ତ୍ର ରାଜନୈତିକ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ହେଉଛି । ଭେଦଭାବ ବିରୋଧୀ ଏବଂ ରାଷ୍ଟ୍ରୀୟ ନାଗରିକ ସମିତି ଉପରେ ନୂଆ ଦଳ ଗଠନ ହେବ । ଆସନ୍ତା ଶୁକ୍ରାବର ନୂତନ ରାଜନୈତିକ ଦଳର ସଂଯୋଜକ ଦାୟିତ୍ୱ ସମ୍ଭାଳି ପାରନ୍ତି । ଗତ ବର୍ଷ ଶେଖ୍ ହସିନା ସରକାର ବିରୋଧରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନରେ ନାହିଦ ନେତୃତ୍ୱ ନେଉଥିଲେ ।