ଭୁବନେଶ୍ୱର: ଏବେ ପାକିସ୍ଥାନ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି । ପାକିସ୍ଥାନୀ ଗୁଇନ୍ଦା ବିଭାଗ ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚାନୁଯାୟୀ ଆତଙ୍କବାଦୀ ସଂସ୍ଥା ଇସ୍ଲାମିକ ଷ୍ଟେଟ ଖୁରସାନ ପ୍ରୋଭିନ୍ସ (ISKP), ଚାମ୍ପିଅନ୍ସ ଟ୍ରଫି ଦେଖିବାକୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ କରିବାକୁ ଯୋଜନା କରୁଛି । ଚୀନ ଓ ଆରବ ଦେଶୀୟ ପର୍ଯ୍ୟଟକଙ୍କୁ ISKP ଠାରୁ ବେଶୀ ବିପଦ ରହିଛି । ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ କରି ସେମାନଙ୍କ ଠାରୁ ଟଙ୍କା ହାତେଇବା ପାଇଁ ଯୋଜନା କରୁଛି ଆତଙ୍କବାଦୀ ସଂସ୍ଥା ।
ପାକିସ୍ଥାନୀ ଗୁଇନ୍ଦା ବିଭାଗ ଅନୁଯାୟୀ ଏହି ଆତଙ୍କବାଦୀ ମାନେ ସହର ବାହାରେ ଥିବା ଘର ଗୁଡିକୁ ସୁରକ୍ଷିତ ଘର ଭାବେ ଅଭିହିତ କରି ବିଦେଶୀ ମାନଙ୍କୁ ଭଡା ଦେବା ପାଇଁ ଯୋଜନା କରୁଛନ୍ତି । ଏହି ସ୍ଥାନ ଗୁଡିକରେ ସିସି ଟିଭି ବ୍ୟବସ୍ଥା ନଥିବା ବେଳେ କେବଳ ମୋଟର ସାଇକଲ ଓ ରିକ୍ସା ସାହାଯ୍ୟରେ ଏଠାରେ ପହଞ୍ଚି ହେବ । ତେବେ ଆତଙ୍କବାଦୀଙ୍କ ଯୋଜନା ଅନୁଯାୟୀ ରାତ୍ରି ଅନ୍ଧକାରରେ ସେମାନେ ଅପହରଣ କରିଥିବା ବିଦେଶୀ ନାଗରିକଙ୍କୁ ପାକିସ୍ଥାନୀ ସୁରକ୍ଷା ବଳଙ୍କୁ ଚକ୍ମା ଦେଇ ଏହି ସ୍ଥାନକୁ ଆଣିପାରିବେ ।
ପାକିସ୍ଥାନରେ ଆୟୋଜିତ ହେଉଥିବା ପ୍ରମୁଖ ଆନ୍ତର୍ଜାତିକ କାର୍ଯ୍ୟକ୍ରମ ଗୁଡିକର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଏହି ଖବର ପାକିସ୍ଥାନରେ ସୁରକ୍ଷା ଓ ନିରାପତ୍ତାର ଚିତ୍ର ସର୍ବସମ୍ମୁଖରେ ଉଜାଗର କରିଦେଇଛି । ପୂର୍ବରୁ ମଧ୍ୟ ବିଦେଶୀ ନାଗରିକଙ୍କ ଉପରେ ଆକ୍ରମଣ କରିବା ଘଟଣାରେ ସରକାର ଜଡିତ ଥିବାର ଖବର ମଧ୍ୟ ଆସିସାରିଛି । ୨୦୨୪ ମସିହାରେ ଚୀନ ଇଞ୍ଜିନିୟର୍ଶଙ୍କ ଉପରେ ସାଙ୍ଗଲା ଠାରେ ଆକ୍ରମଣ ହୋଇଥିଲା । ସେହିପରି ୨୦୦୯ ମସିହାରେ ଲାହୋରକୁ ଖେଳିବାକୁ ଆସିଥିବା ଶ୍ରୀଲଙ୍କା କ୍ରିକେଟ ଟିମ୍ ଉପରେ ଆକ୍ରମଣ କରାଯାଇଥିଲା । ଯାହା ପରେ ପାକିସ୍ଥାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ଉଠିଥିଲା ।