ମାଛ ଖାଇବା ହେଲା କାଳ। ଭଲ ଭାବେ ସିଝି ନ ଥିବା ‘ଟିଲେପିଆ’ ମାଛ ଖାଇ ଜଣେ ଆମେରିକୀୟ ମହିଳା ହାତଗୋଡ଼ର ସମସ୍ତ ଆଙ୍ଗୁଠି ହରାଇଥିବା ଜଣାପଡିଛି । ଏଭଳି ଆଶ୍ଚର୍ଯ୍ୟଜନକ ଦୁଃଖଦ ଘଟଣାଟି ଘଟିଛି କାଲିଫର୍ଣ୍ଣିଆରେ । ମହିଳା ଜଣକ ଦରସିଝା ମାଛ ଖାଇ ମୃତ୍ୟୁ ମୁଖକୁ ଯାଇଥିଲେ । ତାଙ୍କର ଜୀବନ ବଂଚିଯାଇଛି ସିନା କିନ୍ତୁ ସବୁଦିନ ପାଇଁ ତାଙ୍କର ଆଙ୍ଗୁଠି ହରାଇଛନ୍ତି । କାଲିଫର୍ଣ୍ଣିଆର ସାନ୍ ଜୋସ୍ ନିବାସୀ ୪୦ ବର୍ଷୀୟ ଲାଉରା ବାରାଜାସ୍ ‘ବ୍ୟାକ୍ଟେରିଆ’ଦ୍ବାରା ସଂକ୍ରମିତ ହୋଇଥିବା ଗୋଟାଏ ଦରସିଝା ‘ଟିଲେପିଆ’ ମାଛ ଖାଇବା ପରେ ନିଜେ ସଂକ୍ରମିତ ହୋଇଯାଇଥିଲେ।
ସୂଚନା ଅନୁଯାୟୀ ଲାଉରା ବାରାଜାସ୍ ସାନ୍ ଜୋନ୍ସ୍ଥିତ ଆଞ୍ଚଳିକ ବଜାରରୁ ‘ଟିଲେପିଆ’ମାଛ କିଣି ତାହାକୁ ଘରେ ରାନ୍ଧି ଖାଇଥିଲେ । ସେହି ଦରସିଝା ମାଛ ଖାଇବା ପରେ ସେ ଅସୁସ୍ଥ ହୋଇପଡ଼ିଲେ। ଅସୁସ୍ଥ ନୁହେଁ ତ ମରି ଆସୁଥିଲେ ବୋଲି କହିଲେ ଚଳିବ। ତାଙ୍କର ଏହି ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଅବସ୍ଥା ଯୋଗୁ ତାଙ୍କୁ କୃତ୍ରିମ ଶ୍ବାସକ୍ରିୟାରେ ରଖାଯାଇଥିଲା । ପରେ ପରେ ତାଙ୍କର ଆଙ୍ଗୁଠି, ପାଦ ଓ ତଳଓଠ କଳାପଡ଼ିଯାଇଥିଲା । ତାଙ୍କର ଜୀବନ ସମ୍ପୂର୍ଣ୍ଣ ସଙ୍କଟାପନ୍ନ ହୋଇଗଲା। ଏପରିକି ତାଙ୍କର କିଡ୍ନି ମଧ୍ୟ କାମ କଲାନାହିଁ ବୋଲି କୁହାଯାଉଛି । ଦୀର୍ଘ ମାସେ କାଳ ସେ ଡାକ୍ତରଖାନାରେ ରହିଥିଲେ । କିନ୍ତୁ ତାଙ୍କର ଜୀବନ ବଞ୍ଚାଇବା ଲାଗି ନିଆଯାଇଥିଲା ଏକ ବଡ ନିଷ୍ପତ୍ତି । ଗତ ଗୁରୁବାର ଦିନ ଅସ୍ତ୍ରୋପଚାର କରାଯାଇ ସଂକ୍ରମିତ ହୋଇଯାଇଥିବା ହାତ ଓ ଗୋଡ଼ର ସମସ୍ତ ଆଙ୍ଗୁଠି କାଟିବାକୁ ପଡ଼ିଲା। କଞ୍ଚା ସାମୁଦ୍ରିକ ଖାଦ୍ୟ ଓ ସମୁଦ୍ର ଜଳରେ ଥିବା ମାରାତ୍ମକ ‘ବ୍ୟାକ୍ଟେରିଆ’ ‘ଭାଇବ୍ରିଓ ଭଲ୍ନିଭିକସ୍’ଦ୍ବାରା ବାରାଜାସ୍ ଆକ୍ରାନ୍ତ ହୋଇଥିଲେ ବୋଲି ସୂଚନା ମିଳିଛି । ଏହି ଘଟଣା ଏବେ ସେଠାରେ ଆତଙ୍କ ଖେଳିଛି । ଲୋକମାନେ ମାଛ ଖାଇବାକୁ ଭୟ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି ।
ଅଧିକ ପଢନ୍ତୁ ;ନାଇଜରରେ ଖାଦ୍ୟଭାବ ଯୋଗୁଁ ଭୋକରେ ୧୦ ଲକ୍ଷ ଲୋକ