ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ କ୍ଷେତ୍ର ସଂପ୍ରତି ଦୁନିଆରେ ଯୁଦ୍ଧର ଆଖଡାରେ ପରିଣତ ହୋଇଛି । ଗତ ବର୍ଷ ଅକ୍ଟୋବରରୁ ହମାସ ଓ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଲଢେଇ ଏବେ ଲେବାନନ ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ଗତ ଦିନରେ ଇସ୍ରାଏଲ ଉପରେ ମିସାଇଲ ମାଡ କରି ଏହି ଲଢେଇରେ ଇରାନ ଏଣ୍ଟ୍ରି ମାରିଛି । ହିଜବୁଲ୍ଲାର ମୁଖ୍ୟ ନସରଲ୍ଲାର ନିହତ ପରେ ପ୍ରତିଶୋଧ ପରାୟଣ ହୋଇ ଇରାନ ଇସ୍ରାଏଲ ଉପରେ ପାଖାପାଖି ୨୦୦ କ୍ଷେପଣାସ୍ତ୍ର ମାଡ କରିଥିଲା ଛି । ଏହା ପରେ ସଭିଙ୍କ ନଜର ଇସ୍ରାଏଲ ଉପରେ ରହିଥିଲା, ଯେ ନେତନ୍ୟାହୁ କେବେ ଏହାର ପ୍ରତିଶୋଧ ନେବେ । ମାତ୍ର ଏମିତି ହୋଇ ନାହିଁ ।
ଇସ୍ରାଏଲକୁ ଅକ୍ଟୋପସ ଲଢେଇରେ ଫରାଇଲା ଇରାନ
ଇସ୍ରାଏଲ ଅନେକ ଥର ଇରାନକୁ ଧମକ ଦେଇ ସାରିଛି, ମାତ୍ର ଏ ପର୍ଯ୍ୟନ୍ତ ଆକ୍ରମଣ କରି ନାହିଁ । ଏହାର ବଡ କାରଣ ମଧ୍ୟପ୍ରାଚ୍ୟରେ ଇରାନ ବହୁତ ବଡ ଚାଲ ଚଲାଇଛି । ଇସ୍ରାଏଲକୁ ସେ ଅକ୍ଟୋପସ ୱାରରେ ଫସାଇଛି । ଇରାନ ଇସ୍ରାଏଲ ଉପରେ ଲଗାତାର ଇରାକ, ୟମନ, ଲେବାନନ ଓ ଗାଜା ଦ୍ୱାରା ହମଲା କରାଇ ଚାଲିଛି । ଏହି ପରି ଇସ୍ରାଏଲ ପାଇଁ ଏହା ସ୍ଥିର କରିବା ମୁସ୍କିଲ ହୋଇ ପଡିଛି ଯେ, ଏହି ଆକ୍ରମଣରେ ସେ ପ୍ରଥମେ ନିଜ ଦେଶକୁ ବଞ୍ଚାଇବ ନା ଇରାନ ଉପରେ ଆକ୍ରମଣ କରିବ ।
ଆଠ ଫ୍ରଣ୍ଟରେ ଲଢୁଛି ଇସ୍ରାଏଲ
ଇରାନ ଏବେ ଆରବ ଦେଶର ନାଗରିକମାନଙ୍କୁ ଇସ୍ରାଏଲ ବିରୋଧରେ ହତିଆର ଉଠାଇବାକୁ ପ୍ରସ୍ତୁତ କରୁଛି । ସେ ଅକ୍ଟୋପସ ଯୁଦ୍ଧ ନୀତି ଆଧାରରେ ଆରବ ନାଗରିକଙ୍କ ଭିତରେ ଘୃଣାଭାବ ସୃଷ୍ଟି କରି ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି କରୁଛି । ଇସ୍ରାଏଲ ସଂପ୍ରତି ଆଠି ମୋର୍ଚ୍ଚାରେ ଲଢେଇ କରୁଛି । ଇସ୍ରାଏଲକୁ ପଶ୍ଚିମରେ ଗାଜା, ଲେବାନନରେ ହିଜବୁଲ୍ଲା, ୟମନରେ ହୁତିଆ, ଇରାକରେ ଇରାକୀ ମିଲିସିଆ, ଏହାସହ ସିରିଆରେ ଇରାନ ସମର୍ଥିତ ଗୋଷ୍ଠୀ ସହ ସିଧାସଳଖ ମୁକାବିଲା କରିବାକୁ ପଡୁଛି ।
ଇସ୍ରାଏଲ ଦାବି କରୁଛି ଯେ, ଏହି ଲଢେଇରେ ଏବେ ରୁଷର ମଧ୍ୟ ଏ ଣ୍ଟ୍ରି ହୋଇ ସାରିଛି ଏବଂ ଏହି ଦେଶ ହିଜବୁଲ୍ଲାକୁ ସାହାଯ୍ୟ କରୁଛି । ନଚେତ୍ ହିଜବୁଲ୍ଲା ପାଖରେ ଏତେ ରକେଟ୍ କେମିତି ଆସିଥାନ୍ତା । ଇସ୍ରାଏଲ ଦାବି କରିଛି ଯେ, ରୁଷ ହିଜବୁଲ୍ଲାକୁ ଡ୍ରୋନ ସମେତ ଅନେକ ଘାତକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛି । ଏହାର କାରଣ କିଛି ଦିନ ପୂର୍ବେ ଇସ୍ରାଏଲ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା । ଏହିପରି ଭାବେ ଇରାନ ଇସ୍ରାଏଲକୁ ଅକ୍ଟୋପସ ୱାରରେ ଫସାଇ ରଖିଛି ।