ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖ ହୋଇଥିବା ଭୀଷଣ ଆତଙ୍କୀ ହମଲା ପୂରା ଦେଶକୁ ସ୍ତବ୍ଧ କରି ଦେଇଛି । ଏବେ ଏହି ଘଟଣା ଉପରେ ମିଳିତ ଜାତିସଂଘ କଡା ପ୍ରତିକ୍ରିୟା ଦେଇଛି । ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ହମଲାର କଡା ନିନ୍ଦା କରିଛନ୍ତି ଏବଂ କହିଛନ୍ତି ନାଗରିକଙ୍କ ଉପରେ ହମଲା ନୌଣସି ବି ସ୍ଥିତିରେ ବରଦାସ୍ତ କରାଯାଇ ପାରିବ ନାହିଁ ।
ମିଳିତ ଜାତିସଂଘ ମହାସଚିବଙ୍କ ମୁଖପାତ୍ର ଷ୍ଟିଫନ ଦୁଜାରିକ ମହାସଚିବଙ୍କ ପକ୍ଷରୁ ଏକ ଆନୁଷ୍ଠାନିକ ବୟାନ ଜାରି କରିଛନ୍ତି । ସେ ଲେଖିଛନ୍ତି, ମହାସଚିବ ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ଘଟିଥିବା ଆତଙ୍କୀ ହମଲାର କଡା ନିନ୍ଦା କରିଛନ୍ତି, ଯେଉଁଥିରେ ଅତି କମରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି । ଗୁଟେରସ ହମଲାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନ ପ୍ରତି ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ନାଗରିକଙ୍କୁ ଟାର୍ଗେଟ୍ କରିବା କୌଣସି ବି ସ୍ଥିତିରେ ବରଦାସ୍ତ କରାଯାଇ ପାରିବନି । ଏହା ମାନବିକତାର ମୂଳ ସିଦ୍ଧାନ୍ତ ବିରୋଧରେ ରହିଛି ।
ପହଲଗାମ ଆତଙ୍କୀ ହମଲାରେ ୨୬ ପର୍ଯ୍ୟଟଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ମୃତକମାନେ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଗୁଜରାଟ, ଓଡିଶା, ହରିୟାଣା, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶର ଥିଲେ । ଏଥିରେ ଦୁଇ ଜଣ ବିଦେଶୀ ନାଗରିକ ନେପାଳ ଓ ୟୁଏଇର ଥିବା କୁହାଯାଉଛି । ୨୦୧୯ ପୁଲୱାମା ଆକ୍ରମଣ ପରେ ଜମ୍ମୁ-କାଶ୍ମୀରରେ ଏହା ସବୁଠୁ ବଡ ହମଲା ।