ଖବର ଓଡିଶା : 11/02/2023
ପ୍ରଳୟଙ୍କରୀ ତୁର୍କୀ ଭୂକମ୍ପରେ ବଢ଼ିଚାଲିଛି ମୃତ୍ୟୁର ଗ୍ରାଫ । ମୋଟ ମୃତ୍ୟୁ ସଂଖ୍ୟା ୨୪ ହଜାର ଟପିଲାଣି । ୭.୮ ତୀବ୍ରତାର ଭୂକମ୍ପ ଓ ପରେ ପ୍ରାୟ ୨୦୦ ଥର ପଶ୍ଚାତ୍ କମ୍ପନ ଯୋଗୁ ହଜାର ହଜାର କୋଠା ଧରାଶାୟୀ ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୨୪ ହଜାର ଟପିଥିଲା ବେଳେ କେବଳ ତୁର୍କୀରେ ୧୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ରାଷ୍ଟ୍ରପତି ଏର୍ଦୋଗାନ୍ କହିଛନ୍ତି। ଭୂକମ୍ପର ୪ ଦିନ ପରେ ମଧ୍ୟ ଭଗ୍ନାଂଶ ତଳୁ ଲୋକଙ୍କୁ ଉଦ୍ଧାର କରାଯାଉଥିବାରୁ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି କୁହାଯାଉଛି। ଏହାରି ଭିତରେ ନଜରକୁ ଆସିଛି ଅନେକ ଦୁଃଖଦ ଓ ହୃଦୟବିଦାରକ ଖବର । ଖଣ୍ଡଖଣ୍ଡ ଭଙ୍ଗା କୋଠା ଘରୁ ଜୀବନ୍ତ ଫେରିଛନ୍ତି ମା’ ଓ ୧୦ ମାସର ଶିଶୁ । ମାରସ ସହରର ଏକ ମଲ୍ଟିଷ୍ଟୋର ବିଲ୍ଡିଂକୁ ସଫା କରାଯାଉଥିବା ବେଳେ ତା ତଳୁ ୩ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଶିଶୁର ମୃତ୍ୟୁ ହୋଇସାରିଥିବା ବେଳେ ୨ଜଣ ଜୀବିତ ରହିଛନ୍ତି । ସେପଟେ ଭୂକମ୍ପର 5ଦିନ ପରେ, ଭୁଶୁଡ଼ି ପଡ଼ିଥିବା ଏକ ବିରାଟ ବିଲ୍ଡିଂ ତଳୁ ଉଦ୍ଧାର ହୋଇଛି 8 ବର୍ଷର ଝିଅ ।ଝିଅଟିକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଭାରତୀୟ ଏନଡିଆରଏଫ ଟିମ୍ । ଏବେବି ମାଟି ତଳେ ହଜାର ହଜାର ଲୋକ ଚାପି ହୋଇ ରହିଛନ୍ତି । 40 ଲକ୍ଷରୁ ଅଧିକ ବାସହରାଙ୍କୁ ଖାଦ୍ୟ ଯୋଗାଇବା ଦୁଇ ଦେଶ ପାଇଁ ସବୁଠାରୁ ବଡ଼ ଚଲେଞ୍ଚ ହୋଇଛି । ବିଶ୍ୱବ୍ୟାଙ୍କର ଆର୍ଥିକ ସହାୟତା, ଭାରତ ସମେତ ବିଶ୍ୱର 70 ଦେଶର ସହାୟତା ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଟନ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି ।