ନୂଆଦିଲ୍ଲୀ: ମଧ୍ୟ ପ୍ରାଚ୍ୟରେ ଯୁଦ୍ଧର ପଦ ଧ୍ଵନୀ। କେଉଁ ସମୟରେ ଯେ ଗୁଳି ବାରୁଦର ଶବ୍ଦ ଶୁଭିବ କହିବା ମୁସ୍କିଲ। ଇରାନରେ ଦେଶବ୍ୟାପୀ ଚାଲିଥିବା ପ୍ରତିବାଦ ମଧ୍ୟରେ ଗୁରୁବାର ଆମେରିକା ତେହେରାନ ବିରୁଦ୍ଧରେ ନୂତନ କଟକଣା ଘୋଷଣା କରିଛି। ଆମେରିକୀୟ ଟ୍ରେଜେରୀ ବିଭାଗ ଅନୁଯାୟୀ, ଆମେରିକା ଇରାନରେ ଜାରି ପ୍ରତିବାଦକୁ ଦମନ କରିବାକୁ ଚେଷ୍ଟା କରୁଥିବା ଅଭିଯୁକ୍ତ ଇରାନୀ ଅଧିକାରୀମାନଙ୍କ ବ୍ୟତୀତ ଇରାନୀ ପରିବହନ, ବାଣିଜ୍ୟ ଏବଂ ଶକ୍ତି କମ୍ପାନୀଗୁଡ଼ିକ ଉପରେ ନୂତନ କଟକଣା ଲଗାଇଛି।
ଖାମେନିଙ୍କ ନିକଟତର ୧୮ ଜଣ ବ୍ୟକ୍ତିଙ୍କୁ ଆମେରିକାରେ ନିଷିଦ୍ଧ
ଟ୍ରମ୍ପ ପ୍ରଶାସନ ୧୮ ଜଣ ଇରାନୀ ଅଧିକାରୀଙ୍କ ଉପରେ କଟକଣା ଲଗାଇଛି। ଏହି ସବୁ ଅଧିକାରୀ ବିକ୍ଷୋଭକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା, ହିଂସା ଏବଂ କୋଟି କୋଟି ଡଲାର ତୈଳ ରାଜସ୍ୱର ଅପବ୍ୟବହାର ପାଇଁ ଅଭିଯୋଗ ହୋଇଛି। ତୈଳ ଏବଂ ପେଟ୍ରୋକେମିକାଲ୍ ରାଜସ୍ୱର ଅବୈଧ ରପ୍ତାନି ଏବଂ ମନି ଲଣ୍ଡରିଂରେ ଜଡିତ ଥିବା ଆମେରିକା ଅଭିଯୋଗ କରିଛି। ଆମେରିକୀୟ ଟ୍ରେଜେରୀ ସଚିବ ସ୍କଟ୍ ବେସାଣ୍ଟ କହିଛନ୍ତି ଯେ ଏହି କଟକଣା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଲାଗୁ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱାଧୀନତା ଏବଂ ନ୍ୟାୟ ଦାବି କରୁଥିବା ଇରାନୀ ଲୋକଙ୍କ ସହିତ ଆମେରିକା ଦୃଢ଼ ଭାବରେ ଠିଆ ହୋଇଛି।
ଆମେରିକୀୟ ଟ୍ରେଜେରୀ ବିଭାଗ କ’ଣ କହିଛି ?
ଆମେରିକୀୟ ଟ୍ରେଜେରୀ ବିଭାଗ ଏକ ପ୍ରେସ ବିବୃତ୍ତିରେ କହିଛି ଯେ ଏହା ଜାତୀୟ ସୁରକ୍ଷା ପାଇଁ ସର୍ବୋଚ୍ଚ ପରିଷଦର ସଚିବ, ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ ଏବଂ ଆଇନ ପ୍ରବର୍ତ୍ତନ ବାହିନୀର କମାଣ୍ଡରମାନଙ୍କ ଉପରେ କଟକଣା ଲଗାଇଛି।
"ହିଂସା ବନ୍ଦ କରନ୍ତୁ ଏବଂ ଇରାନ ସହିତ ଠିଆ ହୁଅନ୍ତୁ"
ଆମେରିକାର ଟ୍ରେଜେରୀ ସେକ୍ରେଟାରୀ ସ୍କଟ୍ ବେସାଣ୍ଟ କହିଛନ୍ତି, "ଇରାନ ନେତାମାନେ ବୁଡ଼ି ଯାଉଥିବା ଜାହାଜରେ ମୂଷା ପରି ଇରାନବାସୀଙ୍କଠାରୁ ଟଙ୍କା ଚୋରି କରୁଛନ୍ତି। ଏହି ଅର୍ଥକୁ ବିଶ୍ୱର ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ସ୍ଥାନାନ୍ତର କରୁଛନ୍ତି। ଇରାନ ନେତାମାନଙ୍କ ପାଖରେ ଏବେ ବି ସମୟ ଅଛି। ସୁଧୁରି ଯାଆନ୍ତୁ। ରାଷ୍ଟ୍ରପତି ଟ୍ରମ୍ପ ସର୍ବଦା ହିଂସା ବନ୍ଦ କରିବା ଏବଂ ଇରାନ ସହିତ ଠିଆ ହେବାକୁ କହିଛନ୍ତି।
ପ୍ରତିବନ୍ଧକ ତାଲିକାରେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ଅଲି ଲାରିଜାନି ମଧ୍ୟ ସାମିଲ୍। ତାଙ୍କ ଉପରେ ବିକ୍ଷୋଭକାରୀଙ୍କ ବିରୁଦ୍ଧରେ ଦମନମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାର ଅଭିଯୋଗ ଅଛି। ଏହି କଟକଣାରେ ସମ୍ପୃକ୍ତ ବ୍ୟକ୍ତି ଏବଂ ସଂସ୍ଥାଗୁଡ଼ିକର ସଂପତ୍ତିକୁ ଆମେରିକା ଫ୍ରିଜ କରିଛି। ଇରାନ ସହିତ କୌଣସି ବ୍ୟବସାୟ କରିବାରେ ଆମେରିକୀୟ ନାଗରିକଙ୍କୁ ନିଷେଧ କରାଯାଇଛି।