ୱାଶିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ବ୍ରିକ୍ସ ଦେଶ (୯ଟି ଦେଶ)କୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଯଦି ୯ଟି ଦେଶ ଆମେରିକୀୟ ଡଲାରକୁ ଦୁର୍ବଳ କରିବାକୁ ଚେଷ୍ଟା କରନ୍ତି, ତେବେ ସେ ସେମାନଙ୍କ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବେ। ବ୍ରିକ୍ସରେ ବ୍ରାଜିଲ, ରୁଷିଆ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇରାନ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ ଅନ୍ତର୍ଭୁକ୍ତ। ଉଲ୍ଲେଖଯୋଗ୍ୟ ଯେ ଆମେରିକୀୟ ଡଲାର ଏବେ ବି ବିଶ୍ୱ ବାଣିଜ୍ୟରେ ସବୁଠାରୁ ଅଧିକ ବ୍ୟବହୃତ ମୁଦ୍ରା।
ବ୍ରିକ୍ସର ସଦସ୍ୟମାନେ କହିଛନ୍ତି ଯେ ବିଶ୍ୱ ଆର୍ଥିକ ବ୍ୟବସ୍ଥାରେ ଆମେରିକାର ଏକଛତ୍ରବାଦରେ ସେମାନେ ଅସନ୍ତୁଷ୍ଟ। ବିକାଶଶୀଳ ଦେଶମାନେ ଆମେରିକୀୟ ଡଲାର ଏବଂ ୟୁରୋ ଉପରେ ବିଶ୍ୱସ୍ତରୀୟ ନିର୍ଭରଶୀଳତା ହ୍ରାସ କରିବାକୁ ଚାହୁଁଥିବା ବେଳେ ସେମାନଙ୍କର ଅର୍ଥନୈତିକ ସ୍ୱାର୍ଥ ପାଇଁ ମଧ୍ୟ ଉନ୍ନତ ନିଷ୍ପତ୍ତି ନେବାରେ ସକ୍ଷମ ହେବାକୁ ଚାହୁଁଛନ୍ତି। ୨୦୨୩ରେ ବ୍ରିକ୍ସ ଶିଖର ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରମାନେ ନିଜର ମୁଦ୍ରା ଆଣିବା ନେଇ ମଧ୍ୟ ଆଲୋଚନା କରିଥିଲେ। ଏହାବ୍ୟତୀତ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ପାଇଁ ଏକ ସାଧାରଣ ମୁଦ୍ରା ସୃଷ୍ଟି କରିବାକୁ ପ୍ରସ୍ତାବ ଦିଆଯାଇଥିଲା, ଯାହା ଟ୍ରମ୍ପଙ୍କୁ ପସନ୍ଦ ଆସିନଥିଲା।
ଯଦି ଟ୍ରମ୍ପ ବ୍ରିକ୍ସ ଦେଶଗୁଡ଼ିକ ବିରୋଧରେ ବଡ଼ ନିଷ୍ପତ୍ତି ନିଅନ୍ତି, ଭାରତ ପାଇଁ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। କାରଣ ଭାରତ ଓ ଆମେରିକା ମଧ୍ୟରେ ଏବେ ଭଲ ବ୍ୟବସାୟିକ ସଂପର୍କ ରହିଛି। ତେଣୁ ନୂଆ ଶୁଳ୍କ ବ୍ୟବସ୍ଥା ଲାଗୁ ହେଲେ ଭାରତକୁ ବଡ଼ ଝଟକା ଲାଗିପାରେ। ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତ ଓ ଆମେରିକା ମଧ୍ୟରେ ୧୧୮.୩ ବିଲିୟନ ଆମେରିକା ଡଲାର ଦ୍ବିପାକ୍ଷିକ ବ୍ୟବସାୟ ହୋଇଥିଲା। ଏହି ଆର୍ଥିକ ବର୍ଷରେ ଆମେରିକାକୁ ଭାରତ ୪୧.୬ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଜିନିଷପତ୍ର ରପ୍ତାନୀ କରିଥିଲା।