ଆବୁଜା: ଆଫ୍ରିକୀୟ ରାଷ୍ଟ୍ର ନାଇଜେରିଆରେ ଏକ ସ୍କୁଲର କୋଠା ଦେଖୁଦେଖୁ ଭୁଶୁଡ଼ି ପଡ଼ିଛି। ଏହି କାରଣରୁ ୨୨ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଶତାଧିକ ଆହତ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତର-ମଧ୍ୟ ନାଇଜେରିଆରେ ଶୁକ୍ରବାର ପୂର୍ବାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି। ଦୁର୍ଘଟଣା ପରେ ଉଦ୍ଧାରକାରୀ ଟିମ୍ ଇଟା, ସିମେଣ୍ଟ, ଲୁହାଛଡ଼ ତଳେ ଚାପି ହୋଇଥିବା ଶତାଧିକ ଛାତ୍ରଛାତ୍ରୀଙ୍କୁ ବାହାର କରିଥିଲେ। ଏଥି ପାଇଁ ପୂରା ଟିମ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା।
ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ଅଘଟଣ ଯେତେବେଳେ ଘଟିଲା, ସେହି ସମୟରେ ଛାତ୍ରଛାତ୍ରୀମାନେ ସେଣ୍ଟସ୍ ଏକାଡେମୀରେ ପହଞ୍ଚି ସାରିଥିଲେ। ବିଦ୍ୟାଳୟର କୋଠା ଅଚାନକ ଭୁଶୁଡ଼ିଥିଲା। ତେଣୁ ପିଲାମାନେ ବାହାରକୁ ଆସିପାରି ନଥିଲେ। ମୃତ ପିଲାମାନଙ୍କର ବୟସ ୧୫ ବର୍ଷରୁ କମ୍ ବୋଲି କୁହାଯାଇଛି।
ପୁଲିସ କହିଛି, କୋଠା ଭୁଶୁଡ଼ିବା କାରଣରୁ ମୋଟ ୧୫୪ ଜଣ ଛାତ୍ରଛାତ୍ରୀ ଫସିଥିଲେ। କିନ୍ତୁ ୧୩୨ ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ନାଇଜେରିଆର ଜାତୀୟ ଜରୁରୀକାଳୀନ ପରିଚାଳନା ସଂସ୍ଥା ଦୁର୍ଘଟଣା ପରେ ଘଟଣାସ୍ଥଳକୁ ଟିମ୍ ପଠାଇଥିଲା। ଘଟଣାସ୍ଥଳକୁ ସ୍ବାସ୍ଥ୍ୟ କର୍ମୀମାନେ ମଧ୍ୟ ଯାଇଥିଲେ। ନାଇଜେରିଆ ସରକାର ଖୁବ ଶୀଘ୍ର ଆହତମାନଙ୍କୁ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିନା ପ୍ରମାଣପତ୍ର ଓ ମାଗଣାରେ ଚିକିତ୍ସା ସୁବିଧା ଦେବା ପାଇଁ ପରାମର୍ଶ ଜାରି କରିଛନ୍ତି।