କ୍ରମାଗତ ଭାବେ ୟୁକ୍ରେନ ସହିତ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଶୁକ୍ରବାର ପ୍ରଥମ ଥର ପାଇଁ ରୁଷିଆରେ ରାଷ୍ଟ୍ରପତି ନିର୍ବାଚନ ହେଉଛି। ମତଦାନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ନିର୍ବାଚନରେ ଭ୍ଲାଦିମିର ପୁଟିନ ପୁଣି ଥରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ୁଛନ୍ତି। ତେବେ ସେ ପଞ୍ଚମ ଥର କ୍ଷମତାକୁ ଫେରିବେ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ ଯେ, ୧୫ ରୁ ୧୭ ମାର୍ଚ୍ଚ ପର୍ଯ୍ୟନ୍ତ ରୁଷିଆରେ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ୟୁକ୍ରେନର କିଛି ଅଂଶରେ ମତଦାନ ପୂର୍ବରୁ ଆରମ୍ଭ ହୋଇସାରିଛି। ତେବେ ଯଦି କୌଣସି ପ୍ରାର୍ଥୀ ଅଧାରୁ ଅଧିକ ଭୋଟ ପାଆନ୍ତି ନାହିଁ, ତେବେ ୩ ସପ୍ତାହ ପରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଅନୁଷ୍ଠିତ ହେବ। ଏଥର ଯଦି ପୁଟିନ ପୁଣିଥରେ ରାଷ୍ଟ୍ରପତି ନିର୍ବାଚନରେ ଜିତନ୍ତି, ତେବେ ସେ ପ୍ରାୟ ୨୦୩୦ ପର୍ଯ୍ୟନ୍ତ କ୍ଷମତାରେ ରହିବେ ବୋଲି ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ପୁଟିନ ଗୁରୁବାର ଦିନ ଏକ ଭିଡିଓ ଜରିଆରେ ରୁଷିଆର ସମସ୍ତ ନାଗରିକଙ୍କୁ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବାକୁ ନିବେଦନ କରିଛନ୍ତି ।
ଅପରପକ୍ଷରେ ଗତ କିଛି ଦିନ ତଳେ ପୁଟିନଙ୍କ ପ୍ରତିଦ୍ବନ୍ଦୀ ଥିବା ଏଲେକ୍ସି ନବଲନୀଙ୍କର ମୃତ୍ୟୁ ଘଟିଥିବାରୁ ପୁଟିନଙ୍କ ବିରୋଧରେ ଭୋଟ୍ ଦେବାକୁ ନବଲୀନଙ୍କ ବିଧବା ପତ୍ନୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ତେବେ ଏକ ଅଣ-ସରକାରୀ ମତଦାନ ସଂଗଠନ ଲେଭାଡା କେନ୍ଦ୍ରର ରିପୋର୍ଟ ଅନୁଯାୟୀ ପୁଟିନଙ୍କ ମୂଲ୍ୟାୟନ ୮୬ ପ୍ରତିଶତରୁ ଅଧିକ ଥିବା ବେଳେ ଯୁଦ୍ଧ ସମୟରେ ତାଙ୍କର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇଥିଲା । ଅପରପକ୍ଷରେ ମସ୍କୋରୁ ତାତ୍ୟାନା କହିଛନ୍ତି ଯେ, 'ମୁଁ ପୁଟିନଙ୍କୁ ଭୋଟ ଦେଉଛି। ମୁଁ ପୁଟିନଙ୍କୁ ବିଶ୍ୱାସ କରେ। ସେ ବହୁତ ଶିକ୍ଷିତ। ପୁଟିନ ଜଣେ ବିଶ୍ୱସ୍ତରୀୟ ନେତା। ମୁଁ ପୁଟିନଙ୍କ ନେତୃତ୍ୱକୁ ସମର୍ଥନ କରୁଛି।'
ଅଧିକ ପଢନ୍ତୁ: ନିର୍ବାଚନୀ ବଣ୍ଡକୁ ନେଇ SBIକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ