ନିର୍ଦ୍ଦେଶକ ଏସ ଏସ୍ ରାଜମୌଲୀଙ୍କ ବ୍ଲକବଷ୍ଟର ଫିଲ୍ମ ଆରଆରଆର ଫିଲ୍ମରେ ଖଳନାୟକ ଚରିତ୍ରରେ ନଜର ଆସିଥିବା ଅଭିନେତା ରେ ଷ୍ଟିବନସନ୍ ଙ୍କ ପରଲୋକ । ମୃତ୍ୟୁବେଳକୁ ରେ ଷ୍ଟିବନସନ୍ ଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ଆଉ ଦୁଇଦିନ ପରେ ଥିଲା ତାଙ୍କର ଜନ୍ମଦିନ ।
୧୯୬୪ ମେ’ ୨୫ରେ ଆର୍ୟଲ୍ୟାଣ୍ଡରେ ଜନ୍ମିତ ଷ୍ଟିଭେନସନ ୮ ବର୍ଷ ବୟସରେ ବ୍ରିଷ୍ଟଲର ଓଲ୍ଡ ଭିକ୍ ଥିଏଟର ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ। ୧୯୯୦ ବେଳକୁ ସେ ସିନେମା ଓ ଟିଭି ଶୋ’ରେ ପାଦ ରଖିଥିଲେ । ସେତେବେଳେ ସେ ୟୁରୋପୀୟ ଫିଲ୍ମ ଓ ସିରିଜରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୯୮ ମସିହାରେ ସେ ତାଙ୍କର ପ୍ରଥମ ଫିଲ୍ମ କରିଥିଲେ, ଯାହାର ନାଁ ଥିଲା ଦ ଥିଓରୀ ଅଫ୍ ଫ୍ଲାଇଟ୍ । ଏହାପରେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ତାଳି ଓ ଭଲ ପାଇବା ସାଉଣ୍ଟିଥିଲା। ସେ ‘ୱାର ଜୋନ’, ‘ଭୋଲ୍ସ ଟ୍ୟାଗ’, ଆରଆରଆର, କିଲ୍ ଦ ଇରିସମ୍ୟାନ୍, ଗିବ୍ ଗ୍ୟାମ୍, କୋଲ୍ଡ ସ୍କିନ୍, ଦ ବୁକ୍ ଅଫ ଇଲଇ ଦ ଥ୍ରୀ ମୁସ୍କେଟର୍ସ, ମେମୋରୀ ଆଦି ମୋଟ ୫୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ି ଯାଇଛନ୍ତି।
ରେ ଷ୍ଟିବନସନ୍ ଆରଆରଆର୍ ଫିଲ୍ମରେ ଖଳନାୟକ ଭୂୂମିକାରେ ନଜର ଆସିଥିଲେ । ତାଙ୍କ ଅଭିନୟରେ ସେ ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲେ । ଖାଲି ସେତିକି ନୁହେଁ, ଏହି ଫିଲ୍ମ ମଧ୍ୟ ସାରା ଦୁନିଆରେ ଦର୍ଶକଙ୍କ ହୃଦୟଙ୍କୁ ଛୁଇଁପାରିଥିଲା । ଆରଆରଆରଟିମ୍ ପକ୍ଷରୁ ଟ୍ୱିଟ କରାଯାଇ ରେ ଷ୍ଟିଭେନସନଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି ଏହା ଆମ ସମସ୍ତଙ୍କ ପାଇଁ ଶକ୍ତ ଝଟକା ହୋଇଥିବା ବେଳେ ଷ୍ଟିଭେନସନ ସବୁବେଳେ ଆମ ହୃଦୟରେ ରହିବେ। ରେ ଷ୍ଟିଭେନସନଙ୍କ ଏପରି ଅକାଳ ବିୟୋଗରେ ତାଙ୍କ ଫ୍ୟାନ୍ସ ମାନେ ମର୍ମାହତ ହୋଇଥିବାବେଳେ ତାଙ୍କ ଶୋକ ସନ୍ତପ୍ତ ପରିବାର ନିକଟକୁ ସମବେଦନାର ସୁଅ ଛୁଟୁଛି।