ନୂଆଦିଲ୍ଲୀ: ମିଆଁମାରରେ ଶୁକ୍ରବାର ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହା ତୀବ୍ରତା ୭.୨ ରେକର୍ଡ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି(ଏନସିଏସ) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପର ଝଟକା ଏତେ ଶକ୍ତିଶାଳୀ ରହିଛି ଯେ, ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ଏହା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ର ସ୍ଥଳ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରରେ ରହିଛି।
ଭୂକମ୍ପର ଝଟକା ମିଆଁମାର ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଛି । ତେବେ ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ସାମ୍ନାକୁ ଆସିନି। ମାତ୍ର ଏହାର ତୀବ୍ର ଝଟକା ବଡ ଧ୍ୱଂସର କାରଣ ହୋଇପାରେ । ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ସ୍ଥାନୀୟ ଅଧିକାରୀ କ୍ଷୟକ୍ଷତିର ଆକଳନ କରୁଛନ୍ତି ।
ଭାରତରେ ଦିଲ୍ଲୀ-ଏନସିଆର ଓ ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ବିଶେଷ କରି ପୂର୍ବୋତର ରାଜ୍ୟ ମଣିପୁର, ଅରୁଣାଚଳ ପ୍ରଦେଶ, ଆସାମ ଓ ନାଗାଲାଣ୍ଡରେ ତୀବ୍ର ଝଟକା ଅନୁଭୂତ ହୋଇଛି । ମିଆଁମାର ଓ ଭାରତ ବ୍ୟତୀତ ବ୍ୟାଙ୍କକରେ ମଧ୍ୟ ୬.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ମିଆଁମାରରେ ପ୍ରଥମ ଥର ଦିନ ୧୧ଟା ୫୨ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ପୁଣି ୧୨.୦୨ରେ ପୁନର୍ବାର ଭୂକମ୍ପ ଅନୁଭୂତ ହୋଇଥିଲା ।
ବ୍ୟାଙ୍କକରେ ଭୂକମ୍ପ ଝଟକା ପରେ କୋଠାଗୁଡିକୁ ଖାଲି କରିବାକୁ ପଡିଛି । ଲୋକେ କୋଠା ଛାଡି ବାହାରକୁ ଦୌଡିବାରେ ଲାଗିଥିଲେ । ଗ୍ରେଟର ବ୍ୟାଙ୍କକ ଅଞ୍ଚଳରେ ପାଖାପାଖି ଏକ କୋଟି ୭୦ ଲକ୍ଷ ଲୋକ ବସବାସ କରନ୍ତି । ତେବେ କେନ୍ଦ୍ରସ୍ଥଳ ଥିବା ମିଆଁମାରରୁ ଏ ପର୍ଯ୍ୟନ୍ତ କୌଣସି ବିସ୍ତୃତ ରିପୋର୍ଟ ଆସିନାହିଁ । ବଡ ଧରଣର ଭୂକମ୍ପ କାରଣରୁ ମିଆଁମାରରେ ବଡ ଧରଣର କ୍ଷତି ଘଟିଥିବା ଆଶଙ୍କା କରାଯାଉଛି ।