ମୁଜାଫରାବାଦ: ପାକିସ୍ତାନ ଦ୍ୱାରା ବେଆଇନ ଭାବେ ଦଖଲ କରାଯାଇଥିବା କାଶ୍ମୀର (ପିଓକେ)ରେ ସ୍ଥିତି ଏବେ ଅଣାୟତ୍ତ। ଗତ ୫ ଦିନ ଧରି ଏହି ଅଞ୍ଚଳରେ ନିଆଁ ଜଳୁଛି। 'ଜ୍ୱାଇଣ୍ଟ ଅବାମୀ ଆକ୍ସନ କମିଟି' (JAAC) ନେତୃତ୍ୱରେ ଚାଲିଥିବା ପାକିସ୍ତାନ ସରକାର ବିରୋଧୀ ଆନ୍ଦୋଳନ ବର୍ତ୍ତମାନ ଏକ ଭୟଙ୍କର ହିଂସାର ରୂପ ନେଇଛି। ରିପୋର୍ଟ ମୁତାବକ, ପାକିସ୍ତାନୀ ସେନାର ବର୍ବରତା ଯୋଗୁଁ ଏପର୍ଯ୍ୟନ୍ତ ପ୍ରାୟ ୩୨ ଜଣ ନିରୀହ ଲୋକଙ୍କ ଜୀବନ ଗଲାଣି ଏବଂ ୨୦୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି।
ସାରା ଅଞ୍ଚଳରେ ଦେଶଦ୍ରୋହର ଆଶଙ୍କା କରି ପାକ୍ ପ୍ରଶାସନ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ମୁଜାଫରାବାଦ ଏବଂ ରାୱଲାକୋଟ୍ ଭଳି ପ୍ରମୁଖ ସହରଗୁଡ଼ିକରେ ସାମରିକ ଛାଉଣୀ ପରି ସ୍ଥିତି ସୃଷ୍ଟି ହୋଇଛି। ଆନ୍ଦୋଳନକୁ ଜୋରଜବରଦସ୍ତ ଦବାଇବା ପାଇଁ ପାକିସ୍ତାନ ସରକାର ଜାକ୍ ନେତାମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି। ଏପରିକି ସଙ୍ଗଠନର ୪ ଜଣ ପ୍ରମୁଖ ଶୀର୍ଷ ନେତାଙ୍କୁ ଗିରଫ କରିବା ପାଇଁ ୧ କୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି।
ସେନାର ଗୁଳିମାଡ଼ରେ ଶିଶୁ ଓ ଗର୍ଭବତୀ ମହିଳା ମୃତ
ସବୁଠାରୁ ଦୁଃଖଦ ଓ ଚାଞ୍ଚଲ୍ୟକର ବିଷୟ, ପାକିସ୍ତାନୀ ସେନାର ଆଖିବୁଜା ଗୁଳିମାଡ଼ର ଶିକାର ହୋଇଛନ୍ତି ପ୍ରାୟ ୧୭ ଜଣ ଶିଶୁ ଏବଂ ୭ ଜଣ ଗର୍ଭବତୀ ମହିଳା। ଏହି ସାଙ୍ଘାତିକ ଘଟଣା ପରେ ସ୍ଥାନୀୟ ଲୋକଙ୍କ ଆକ୍ରୋଶ ଚରମ ସୀମାରେ ପହଞ୍ଚିଛି। JAAC ପକ୍ଷରୁ ଦିଆଯାଇଥିବା ‘ମୁଜାଫରାବାଦ ଚଲୋ’ ଡାକରାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। କୋଟଲି, ନୀଲମ ଭ୍ୟାଲି, ୱାଦି ବାଗ୍ ଏବଂ କଲନ୍ଦରୀ ସମେତ ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଜନତା ଦିନରାତି ଏକ କରି ମୁଜାଫରାବାଦ ଆଡ଼କୁ ମାଡ଼ି ଚାଲିଛନ୍ତି।
ଜନତାଙ୍କ ବିଦ୍ରୋହରେ ଥରହର ଇସଲାମାବାଦ, ଆସିମ ମୁନୀରଙ୍କ ମନରେ ଛନକା
PoKର ଏହି ଅଦ୍ଭୁତପୂର୍ବ ଜନସମୁଦ୍ର ଏବଂ ଆକ୍ରୋଶ ପାକିସ୍ତାନ ସରକାରଙ୍କ ନିଦ ହଜାଇ ଦେଇଛି। ଶାହବାଜ ସରିଫ୍ ସରକାର ଏବଂ ପାକ୍ ସେନା ମୁଖ୍ୟ ଜେନେରାଲ ଆସିମ ମୁନୀର ଏହି ଗଣବିଦ୍ରୋହକୁ ଯେକୌଣସି ପ୍ରକାରେ ଚାପି ଦେବାକୁ ଚେଷ୍ଟା କରୁଛନ୍ତି। ୪ ଜଣ ଆନ୍ଦୋଳନକାରୀ ନେତାଙ୍କୁ ଧରିବା ପାଇଁ ୧ କୋଟିର ଲୋଭ ଦେଖାଇବା ପ୍ରମାଣିତ କରୁଛି ଯେ ପାକିସ୍ତାନ ଏବେ ଭୟଭୀତ।