ଇସଲାମାବାଦ: ସିନ୍ଧୁ ଜଳ ଚୁକ୍ତିର ସମୀକ୍ଷା ପାଇଁ ଭାରତ ଦେଇଥିବା ବିଧିବଦ୍ଧ ନୋଟିସରେ ପାକିସ୍ତାନ ବିଚଳିତ ହୋଇଯାଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମୁମତାଜ ଜାହରା ବଲୋଚ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଛନ୍ତି ଯେ ପାକିସ୍ତାନ ସିନ୍ଧୁ ଜଳ ଚୁକ୍ତିକୁ ଗୁରୁତ୍ୱ ଦେଉଛି ଏବଂ ଭାରତ ଏହାର ବ୍ୟବସ୍ଥାକୁ ପାଳନ କରିବ ବୋଲି ଆଶା ରଖିଛି।
ନୂଆଦିଲ୍ଲୀରେ ଥିବା ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୬୪ ବର୍ଷ ପୁରୁଣା ଚୁକ୍ତିର ସମୀକ୍ଷା ପାଇଁ ଭାରତ ଅଗଷ୍ଟ ୩୦ରେ ପାକିସ୍ତାନକୁ ଆନୁଷ୍ଠାନିକ ନୋଟିସ୍ ପଠାଇଥିଲା। ବିଶେଷଜ୍ଞଙ୍କ ଅନୁସାରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରତିକ୍ରିୟା ଦର୍ଶାଉଛି ଯେ ପାକିସ୍ତାନ ସେହି ଚୁକ୍ତିର ସମୀକ୍ଷା କରିବାକୁ ଆଗ୍ରହୀ ନଥିଲା ଯାହା ଅଧୀନରେ ଦୁଇ ଦେଶ ମଧ୍ୟରେ ଜଳ ବଣ୍ଟନର ଜଟିଳ ପ୍ରସଙ୍ଗର ସମାଧାନ ହୋଇଥିଲା ।
ଭାରତ ସରକାର କହୁଛନ୍ତି ଯେ ପରିସ୍ଥିତିରେ ମୌଳିକ ଏବଂ ଅପ୍ରତ୍ୟାଶିତ ପରିବର୍ତ୍ତନ ହୋଇଛି, ଯେଉଁଥିପାଇଁ ଏହି ଚୁକ୍ତିର ପୁନଃ ମୂଲ୍ୟାୟନ ଆବଶ୍ୟକ ହୋଇଛି। ଏହା ସହ ଭାରତ ସରକାର ମଧ୍ୟ ସୀମାପାରରୁ ଲଗାତାର ଆତଙ୍କବାଦକୁ ଉଦାହରଣ ଦେଇଛନ୍ତି।
ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୩୦ ତାରିଖରେ ସିନ୍ଧୁ ଜଳ ଚୁକ୍ତିର ଧାରା ୧୨(୩) ଅନୁଯାୟୀ ଏହି ନୋଟିସ୍ ପଠାଯାଇଥିଲା। ୯ ବର୍ଷର ଆଲୋଚନା ପରେ ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ବିଶ୍ୱବ୍ୟାଙ୍କ ମଧ୍ୟ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲା। ଏହି ଚୁକ୍ତିର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ପ୍ରବାହିତ ହେଉଥିବା ବିଭିନ୍ନ ନଦୀର ଜଳ ବଣ୍ଟନ ସମ୍ପର୍କରେ ସୂଚନା ଏବଂ ସହଯୋଗ ଆଦାନପ୍ରଦାନ କରିବା।
ଅଧିକ ପଢ଼ନ୍ତୁ: ଭାରତୀୟ ଦୂତାବାସରୁ ମୃତଦେହ ଉଦ୍ଧାର ପରେ ଜାରି ହେଲା ବିବୃତି