ନୂଆଦିଲ୍ଲ୍ୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଗାଜା ଶାନ୍ତି ଯୋଜନାରେ ହୋଇଥିବା ଅଗ୍ରଗତି ପାଇଁ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନେତନ୍ୟାହୁଙ୍କ ମଧ୍ୟରେ ଏହି ଆଲୋଚନା ଏପରି ସମୟରେ ହୋଇଛି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସମାନ ପ୍ରସଙ୍ଗରେ କଥା ହୋଇଥିଲେ ଏବଂ ଗାଜା ଯୁଦ୍ଧ ସମାପ୍ତ ପାଇଁ ତାଙ୍କର ପ୍ରସ୍ତାବିତ ଗାଜା ଶାନ୍ତି ଯୋଜନା ପାଇଁ ଅଭିନନ୍ଦନ ଜଣାଇଥିଲେ। ସବୁଠୁ ବଡ କଥା ପ୍ରଧାନମନ୍ତ୍ରୀ ନେତନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗାଜା ଶାନ୍ତି ଯୋଜନା ଉପରେ ଆଲୋଚନା କରିବା ପାଇଁ ତାଙ୍କର ସୁରକ୍ଷା କ୍ୟାବିନେଟ ବୈଠକକୁ ସଂକ୍ଷିପ୍ତ ଭାବରେ ସ୍ଥଗିତ ରଖିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରୀ ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ କହିଛନ୍ତି, "ମୁଁ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଫୋନ୍ କରି ରାଷ୍ଟ୍ରପତି ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନା ଅନୁଯାୟୀ ହୋଇଥିବା ଅଗ୍ରଗତି ପାଇଁ ତାଙ୍କୁ ଅଭିନନ୍ଦନ ଜଣାଉଛି। ଆମେ ବନ୍ଧକମାନଙ୍କୁ ମୁକ୍ତ କରିବା ଏବଂ ଗାଜାର ଲୋକମାନଙ୍କୁ ମାନବୀୟ ସହାୟତା ବୃଦ୍ଧି କରିବା ପାଇଁ ଚୁକ୍ତିକୁ ସ୍ୱାଗତ କରୁଛୁ। ଆମେ ଏହା ମଧ୍ୟ କହୁଛୁ ଯେ ଆତଙ୍କବାଦ ଯେକୌଣସି ରୂପ କିମ୍ବା ସ୍ଥାନରେ ଗ୍ରହଣୀୟ ନୁହେଁ।
ଟାଇମ୍ସ ଅଫ୍ ଇସ୍ରାଏଲର ଏକ ରିପୋର୍ଟ ଅନୁସାରେ, ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏହି ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ଇସ୍ରାଏଲର ପିଏମଓ ବିବୃତ୍ତିରେ କହିଛି ଯେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଗାଜା ଯୁଦ୍ଧବିରତି ଏବଂ ବନ୍ଧକ ମୁକ୍ତ ଚୁକ୍ତିନାମା ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥାବାର୍ତ୍ତା ପାଇଁ ସୁରକ୍ଷା କ୍ୟାବିନେଟ୍ ବୈଠକରୁ କିଛି ସମୟ ପାଇଁ ବିରତ ନେଇଥିଲେ ।
ବିବୃତ୍ତିରେ କୁହାଯାଇଛି, ସମସ୍ତ ବନ୍ଧକଙ୍କ ମୁକ୍ତି ପାଇଁ ହୋଇଥିବା ଚୁକ୍ତିନାମା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଜୋର ଦେଇଥିଲେ ଯେ ନେତନ୍ୟାହୁ ସର୍ବଦା ଭାରତର ଜଣେ ଘନିଷ୍ଠ ବନ୍ଧୁ ଏବଂ ଏହି ବନ୍ଧୁତା ଭବିଷ୍ୟତରେ ମଧ୍ୟ ଦୃଢ଼ ରହିବ। ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଇସ୍ରାଏଲର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଦୁଇ ନେତା ପାରସ୍ପରିକ ସହଯୋଗକୁ ଆହୁରି ସୁଦୃଢ କରିବାକୁ ରାଜି ହୋଇଥିଲେ।
Also read: ଟ୍ରାକକୁ ଫେରୁଛି ଭାରତ-ୟୁଏସ ସମ୍ବନ୍ଧ ! ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ପିଏମ ମୋଦୀ