ନୂଆଦିଲ୍ଲୀ: ହିଜବୁଲ୍ଲା ମୁଖ୍ୟ ନସରଲ୍ଲାର ମୃତ୍ୟୁ ଓ ଲେବାନନ ଉପରେ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଇରାନ ମଙ୍ଗଳବାର ରାତିରେ ଇସ୍ରାଏଲ ଉପରେ ଜୋରଦାର ହମଲା କରିଛି । ଇରାନ ଇସ୍ରାଏଲ ଉପରେ ଅତି କମରେ ୧୫୦ରୁ ଅଧିକ ମିସାଇଲ ଆକ୍ରମଣ କରିଛି । ଇସ୍ରାଏଲରେ ସଂପ୍ରତି ଭୟର ବାତାବରଣ ଖେଳି ଯାଇଛି । ଆଇଡିଏଫ ଦେଶର ନାଗରିକଙ୍କୁ ସୁରକ୍ଷିତ ସ୍ଥାନ ଯିବାକୁ ଆଦେଶ ଦେଇଛି । ଲୋକଙ୍କୁ ଆଶ୍ରୟସ୍ଥଳରେ ରହିବାକୁ ପଡିଛି । ଇସ୍ରାଏଲ ମଧ୍ୟ ଇରାନକୁ ଏହାର ପରିଣାମ ଭୋଗିବାକୁ ଚେତାବନୀ ଦେଇଛି । ଇସ୍ରାଏଲରୀ ସୂତ୍ର ଅନୁଯାୟୀ, ଇରାନୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀ ବଙ୍କରରେ ଛପି ଯାଇଛନ୍ତି । ଅନ୍ୟପଟେ ଆମେରିକାରେ ରାଷ୍ଟ୍ରପତି ଜୋ ବାଇଡେନ ଓ ଉପ ରାଷ୍ଟ୍ରପତି କମଳା ହ୍ୟାରିସ ହ୍ୱାଇଟ ହାଉସରେ ଇରାନର ଆକ୍ରମଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ।
ଆକ୍ରମଣ ପରେ ଇରାନ ଏହାକୁ ହିଜବୁଲ୍ଲାର ପ୍ରମୁଖ ସୈୟଦ ହସନ ନସରଲ୍ଲା ଓ ହମାସ ମୁଖ୍ୟ ହାନିୟେହଙ୍କ ହତ୍ୟାର ପ୍ରତିଶୋଧ ନେଇଥିବା କହିଛି । ଇରାନ କହିଛି, ଗାଜା ଓ ଲେବାନନ ଲୋକଙ୍କ ସହିତ ହମାସ, ହିଜବୁଲ୍ଲା ସବୁର ସାମୂହିକ ହତ୍ୟା ଜବାବରେ ଇସ୍ରାଏଲରେ ଗୁରୁତ୍ୱପୂର୍ଣ୍ଣ ସୈନ୍ୟ ଓ ସୁରକ୍ଷା ଠିକଣାରେ ବାଲାଷ୍ଟିକ ମିସାଇଲ ଆକ୍ରମଣ କରାଯାଇଛି । ଯଦି ଇସ୍ରାଏଲ ଏହାର ଜବାବ ଦିଏ ତେବେ ତାକୁ ଆହୁରି ମୁହଁତୋଡ ଜବାବ ଦିଆଯିବ ବୋଲି ଇରାନର ଇସଲାମିକ ରିଭ୍ୟଲୁସନାରୀ ଗାର୍ଡ କହିଛି ।
ଇରାନ ଆକ୍ରମଣ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଇସ୍ରାଏଲରେ ସମସ୍ତ ବିମାନ ଉଡାଣକୁ ବାତିଲ କରାଯାଇଛି । ଇସ୍ରାଏଲର ଆକାଶ ମାର୍ଗ କ୍ଷେତ୍ରକୁ ବନ୍ଦ କରି ଦିଆଯାଇଛି । ଇରାନର ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ୁ ସୁରକ୍ଷିତ ବଙ୍କରକୁ ଚାଲି ଯାଇଛନ୍ତି । ତାଙ୍କ ସହିତ ଅନେକ ମନ୍ତ୍ରୀ ଥିବା କୁହାଯାଉଛି । ନେତନ୍ୟାହୁ ଓ ଶୀର୍ଷ ନେତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଇସ୍ରାଏଲୀ ପକ୍ଷରୁ କୁହାଯାଇଛି ।
ଏହାରି ମଧ୍ୟରେ ଇସ୍ରାଏଲରେ ରହୁଥିବା ନିଜ ନାଗରିକଙ୍କୁ ଆଲର୍ଟ କରିଛି ଭାରତ । ଇସ୍ରାଏଲରେ ଅବସ୍ଥାପିତ ଭାରତୀୟ ଦୂତାବାସ ମଙ୍ଗଳବାର ନିଜର ସମସ୍ତ ନାଗରିକଙ୍କ ପାଇଁ ସୁରକ୍ଷା ପରାମର୍ଶ ଜାରି କରିଛି। ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଦୂତାବାସ ଭାରତୀୟ ନାଗରିକଙ୍କୁ ସତର୍କ ରହିବା ଏବଂ ଆବଶ୍ୟକ ସୁରକ୍ଷା ପ୍ରଟୋକୋଲ ପାଳନ କରିବାକୁ ଅପିଲ୍ କରାଯାଇଛି।