କଲମ୍ବୋ: ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନରେ ମାର୍କ୍ସବାଦୀ ନେତା ଅନୁରା କୁମାରା ଦିସାନାୟକେ ଆଗୁଆ ଅଛନ୍ତି। ସେ ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରନ୍ତି। ଶ୍ରୀଲଙ୍କାର ନିର୍ବାଚନ ଆୟୋଗଙ୍କ କହିବା ନୁଯାୟୀ, ଦିସାନାୟକେ ଏପର୍ଯ୍ୟନ୍ତ ଗଣତି ହୋଇଥିବା ୧୦ ଲକ୍ଷ ଭୋଟ୍ ମଧ୍ୟରୁ ପାଖାପାଖି ୫୩ ପ୍ରତିଶତ ଭୋଟ ପାଇଛନ୍ତି। ବିରୋଧୀ ଦଳ ନେତା ସଜିତ ପ୍ରେମଦାସା ୨୨% ଭୋଟ ପାଇ ଦ୍ବିତୀୟ ଓ ରାଷ୍ଟ୍ରପତି ରାନିଲ ବିକ୍ରମସିଂନ୍ଧେ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ନିର୍ବାଚନରେ ସମୁଦାୟ ୭୫ ପ୍ରତିଶତ ମତଦାନ ହୋଇଥିଲା।
ଅନୁରା କୁମାରା ଦିସାନାୟକେଙ୍କ ଦଳର ନାମ ଜନତା ବିମୁକ୍ତି ପେରାମୁନା (ଜେଭିପି) ରଖାଯାଇଛି। ଏହା ନ୍ୟାସନାଲ ପିପୁଲ୍ସ ପାୱାର (ଏନପିପି) ମେଣ୍ଟର ଏକ ଅଂଶ। ଅନୁରା କୁମାରା ହେଉଛନ୍ତି ମେଣ୍ଟ ପ୍ରାର୍ଥୀ। ଅର୍ଥନୀତିରେ ଦୃଢ଼ ସରକାରୀ ହସ୍ତକ୍ଷେପ, ଟିକସ କମ୍ ଏବଂ ଅଧିକ ବନ୍ଦ ବଜାର ଭଳି ଅର୍ଥନୈତିକ ନୀତିକୁ ଅନୁରା କୁମାରାଙ୍କ ଦଳ ସମର୍ଥନ କରୁଛି। ୫୫ ବର୍ଷୀୟା ଅନୁରା କୁମାରା ଦିସାନାୟକେଙ୍କୁ ଶ୍ରୀଲଙ୍କାରେ ଜ୍ୱଳନ୍ତ ଭାଷଣ ଦେଉଥିବା ନେତା ଭାବେ ସ୍ୱୀକୃତି ମିଳିଛି।
ସଂସଦରେ ଅନୁରା କୁମାରାଙ୍କ ଦଳ ଜେଭିପିର ମାତ୍ର ୩ଟି ଆସନ ରହିଛି। କିନ୍ତୁ ଦିସାନାୟକେ ତାଙ୍କର କଠୋର ଦୁର୍ନୀତି ବିରୋଧୀ ପଦକ୍ଷେପ ଏବଂ ଗରିବଙ୍କ ହିତକର ନୀତି କାର୍ଯ୍ୟକାରୀ କରିବାର ପ୍ରତିଶ୍ରୁତି ଦେଇ ଲୋକଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି। ସେ ନିଜକୁ ଜଣେ ପରିବର୍ତ୍ତନକାରୀ ନେତା ଭାବରେ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ଅନୁରା ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ସେ କ୍ଷମତାକୁ ଆସନ୍ତି ତେବେ ୪୫ ଦିନ ମଧ୍ୟରେ ସଂସଦ ଭଙ୍ଗ କରିଦେବେ।
ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଅଲ୍ଲୀ ସାବ୍ରି ଏକ୍ସରେ ଲେଖିଛନ୍ତି, ଦୀର୍ଘ ଦିନର କଠିନ ପ୍ରଚାର ପରେ ଏବେ ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଛି। ଯଦିଓ ମୁଁ ରାଷ୍ଟ୍ରପତି ରାନିଲ ବିକ୍ରମସିନ୍ଧେଙ୍କ ପାଇଁ ବ୍ୟାପକ ପ୍ରଚାର କରିଥିଲି, ଶ୍ରୀଲଙ୍କାର ଜନତା ସେମାନଙ୍କର ନିଷ୍ପତ୍ତି ନେଇଛନ୍ତି ଏବଂ ମୁଁ ଅନୁରା କୁମାର ଦିସାନାୟକେଙ୍କ ପାଇଁ ସେମାନଙ୍କ ଜନାଦେଶକୁ ସମ୍ପୂର୍ଣ୍ଣ ସମ୍ମାନ ଜଣାଉଛି।
୨୦୨୨ ମସିହାରେ ଶ୍ରୀଲଙ୍କା ବିଦେଶୀ ମୁଦ୍ରା ଭଣ୍ଡାରରେ ବ୍ୟାପକ ହ୍ରାସ ଯୋଗୁଁ ଅଭୂତପୂର୍ବ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଥିଲା। ପରିସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ଶ୍ରୀଲଙ୍କା ଇନ୍ଧନ, ଔଷଧ ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ପାଇଁ ମଧ୍ୟ ଟଙ୍କା ଦେଇପାରୁନଥିଲା। ଦରବୃଦ୍ଧି ଓ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବକୁ ନେଇ କ୍ଷୁବ୍ଧ ଲୋକେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଓ ବାସଭବନକୁ ଦଖଲ କରିଥିଲେ। ଏହାପରେ ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ ପଳାୟନ କରିବାକୁ ପଡ଼ିଥିଲା ଏବଂ ପରେ ଇସ୍ତଫା ଦେବାକୁ ପଡ଼ିଥିଲା। ଶ୍ରୀଲଙ୍କା ଏପର୍ଯ୍ୟନ୍ତ ଏହି ସଙ୍କଟରୁ ମୁକୁଳି ପାରିନାହିଁ।
ଅଧିକ ପଢ଼ନ୍ତୁ: ଲୋକୋ ପାଇଲଟଙ୍କ ବୁଦ୍ଧିଯୋଗୁଁ ଟଳିଲା ଦୁର୍ଘଟଣା