ଦକ୍ଷିଣ ଫିଲିପାଇନ୍ସର ‘ମିଣ୍ଡାନାଓ’ରେ ବଡ଼ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଛି । ତେବେ କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଭୂକମ୍ପ ପ୍ରଭାବରେ ଫିଲିପାଇନ୍ସ ଉପକୂଳ ଓ ଦକ୍ଷିଣ-ପଶ୍ଚିମ ଜାପାନ ଉପକୂଳରେ ସୁନାମୀ ନେଇ ହାଇଆଲର୍ଟ କରାଯାଇଛି । ଗଭୀର ସମୁଦ୍ରରେ ରହିଥିବା ଜାହାଜଗୁଡିକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସେହିଠାରେ ରହିବାକୁ କୁହାଯାଇଛି । ଉପକୂଳ ନିକଟରେ ରହୁଥିବା ଲୋକଙ୍କୁ ତୁରନ୍ତ ବାସସ୍ଥାନ ଖାଲି କରି ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରୁ ଦୂରକୁ ଚାଲିଯିବାକୁ କୁହାଯାଇଛି ।
ସେପଟେ ୟୁଏସ୍ ସୁନାମୀ ୱାର୍ଣ୍ଣିଂ ସିଷ୍ଟମ୍ ଆକଳନ କରିଛି ଫିଲିପାଇନ୍ସ ଉପକୂଳର କିଛି ସ୍ଥାନରେ ୩ ମିଟର ଉଚ୍ଚର ଜୁଆର ଉଠିବା ଆଶଙ୍କା ରହିଛି । ଜାପାନ ସରକାର ମଧ୍ୟ ଉପକୂଳ ଅଂଚଳକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୟୁରୋପୀୟ ସିସମୋଲୋଜିକାଲ୍ ସେଣ୍ଟର ପକ୍ଷରୁ କୁହାଯାଇଛି, ଭୂଗର୍ଭର ୬୩ କିଲୋମିଟର ତଳେ ୭.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି ।