କାବୁଲ, ଅଗଷ୍ଟ ୦୬ (ଖବର ଓଡ଼ିଶା): ଆଫଗାନିସ୍ତାନର ରାଜଧାନୀ କାବୁଲରେ ୨ଟି ବଡ଼ଧରଣର ବିସ୍ଫୋରଣ ହୋଇଛି । ଏଥିରୁ ଗୋଟିଏ ଏଠାରେ ଥିବା ହଜାରା ମସ୍ଜିଦ ଉପରେ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି । କିଛି ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣ ପାଇଁ ଇସଲାମିକ ଷ୍ଟେଟ୍ (ଆଇଏସ୍) ନିଜକୁ ଦାୟୀ କରିଛି । ବିସ୍ଫୋରଣରେ ମହିଳାଙ୍କୁ ଟାର୍ଗେଟ କରାଯାଇଥିଲା । କାରଣ ଘଟଣାର ଶିକାର ହୋଇଛନ୍ତି ଅଧିକାଂଶ ମହିଳା ଓ ଶିଶୁ ।
ଖବର ଅନୁସାରେ କାବୁଲର ପଶ୍ଚିମ ପାଶ୍ୱର୍ରେ ଏହି ବିସ୍ଫୋରଣ ହୋଇଛି । ହଜାରା ଓ ଶିୟା ଲୋକଙ୍କୁ ଟାର୍ଗେଟ କରାଯାଇଛି । ଅନ୍ୟ ଏକ ବୋମା ଇମାମ ମହମ୍ମଦ ବାକେରରେ ହୋଇଛି, ଯାହାକି କାବୁଲର ସର-ଏ-କରୀଜ ଅଞ୍ଚଳରେ ଥିବା ଜନାନା ମସଜିଦ ରହିଛି । କାବୁଲର ଯେଉଁ ଅଞ୍ଚଳରେ ବିସ୍ଫୋରଣ ହୋଇଛି, ସେଠାରେ ମୁଖ୍ୟତଃ ଶିୟା ସଂପ୍ରଦାୟର ମୁସଲମାନମାନେ ବସବାସ କରିନ୍ତି । ଆଫଗାନିସ୍ତାନ ପୁଲିସର କହିବା ଅନୁସାରେ ବିସ୍ଫୋରଣରେ ଅତିକମରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ଯୋଗୁଁ ୧୮ ଜଣ ଆହତ ହୋଇଛନ୍ତି । ଅନ୍ୟପଟରେ ଇସଲାମିକ ଷ୍ଟେଟ୍ ନିଜର ବୟାନରେ କହିଛି ଯେ, ୨୦ ଲୋକଙ୍କର ମୃତ୍ୟୁ ଓ ଆହତ ହୋଇଛି ।