ନୂଆଦିଲ୍ଲୀ: ଭାରତ ଉପରେ ଟ୍ରମ୍ପ ପ୍ରଶାସନଙ୍କ ୨୫ ପ୍ରତିଶତ ଟାରିଫ ଲାଗୁ ହେବା ପରଠୁ ଭାରତ ଏବଂ ଆମେରିକା ମଧ୍ୟରେ ସଂପର୍କରେ ତିକ୍ତତା ଦେଖିବାକୁ ମିଳିଛି । ତଥାପି ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତିନାମା ହେବ ବୋଲି ଆଶା କରାଯାଉଥିଲା । ଭାରତ ପକ୍ଷରୁ ଲଗାତାର ଏହା କୁହାଯାଉଥିଲା ଯେ, ଆମେରିକା ସହ ବାଣିଜ୍ୟିକ ଚୁକ୍ତି ଉପରେ ତେବେ ମୋହର ବାଜିବ ଯେବେ ଆମେରିକାର ପ୍ରତିନିଧିମଣ୍ଡଳ ଭାରତ ଗସ୍ତ କରିବେ । ତେବେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟିକ ଆଲୋଚନା ଅଚାନକ ଠପ୍ ହୋଇ ଯାଇଛି । ଆମେରିକା ନୂଆଦିଲ୍ଲୀକୁ ଅଗଷ୍ଟ ୨୫ରୁ ୩୦ ନିର୍ଦ୍ଧାରିତ ନିଜର ପ୍ରତିନିଧିମଣ୍ଡଳଙ୍କ ଯାତ୍ରାକୁ ସ୍ଥଗିତ କରି ଦେଇଛି ।
ଟ୍ରମ୍ପ ପ୍ରଶାସନର ଏହି ପଦକ୍ଷେପ କାରଣରୁ ଭାରତ ସହିତ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମା(ବିଟିଏ)ର ଷଷ୍ଠ ପର୍ଯ୍ୟାୟ ଆଲୋଚନା ବି ସ୍ଥଗିତ ହୋଇ ଯାଇଛି । ଆନୁଷ୍ଠାନିକ ଭାବେ ଆମେରିକା ଏହାର ସୂଚନା ଭାରତକୁ ମଧ୍ୟ ଦେଇ ନାହିଁ । ମାତ୍ର ଶୀଘ୍ର ଏହାର ଘୋଷଣା କରିପାରେ ଆମେରିକା । ଅନୁମାନ କରାଯାଉଛି ଏହି ଆଲୋଚନା ପାଇଁ ପରେ କୌଣସି ତାରିଖ ସ୍ଥିର କରାଯାଇପାରେ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନିକଟ ଭବିଷ୍ୟତରେ ଭାରତକୁ କୌଣସି ପ୍ରକାରର ଶୁଳ୍କରେ ରିହାତି ମିଳିବାର ସମ୍ଭାବନା ନାହିଁ ।
ଆମେରିକା ଓ ଭାରତ ମଧ୍ୟରେ ଅଗଷ୍ଟ ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ବାଣିଜ୍ୟିକ ରାଜିନାମା ଉପରେ ଆଲୋଚନା କରାଯିବାର ଥିଲା । ମାତ୍ର ରିପୋର୍ଟ ଅନୁଯାୟୀ, ଆମେରିକାର ପ୍ରତିନିଧି ଦଳ ଭାରତ ଆସିବେ ନାହିଁ । ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ପାଞ୍ଚ ପର୍ଯ୍ୟାୟ ଆଲୋଚନା ସରିଛି । ଷଷ୍ଠ ପର୍ଯ୍ୟାୟରେ ଆମେରିକାର ପ୍ରତିନିଧିମଣ୍ଡଳ ଭାରତ ଆସିବାର ଥିଲା । ତେବେ ଟ୍ରମ୍ପଙ୍କ ଟାରିଫ ନୀତି କାରଣରୁ ଏବେ ଦୁଇ ଦେଶ ମଧ୍ୟରେ ସଂପର୍କରେ ତିକ୍ତତା ଦେଖା ଦେଇଛି ।
ବାଣିଜ୍ୟ ସଚିବ ସୁନୀଲ ବାର୍ଥୱାଲ ଗୁରୁବାର କହିଥିଲେ ଯେ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (ବିଟିଏ) ଉପରେ ଆଲୋଚନା ଚାଲିଛି। ଉଭୟ ଦେଶ ବିଟିଏ ଅଧୀନରେ ୨୦୩୦ ସୁଦ୍ଧା ସେମାନଙ୍କର ବାଣିଜ୍ୟ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେ କହିଛନ୍ତି ଯେ ଆମେ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଆମେରିକା ସହିତ ସମ୍ପୂର୍ଣ୍ଣ ଭାବରେ ଜଡିତ। ସେ କହିଛନ୍ତି ଯେ ଆମେରିକା ଆମର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର।