ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ରେସିପ୍ରୋକାଲ ଟାରିଫ ଯୋଗୁଁ ବିଶ୍ୱରେ ସୃଷ୍ଟି ସମ୍ଭାବିତ ଆର୍ଥିକ ସଙ୍କଟ ମଧ୍ୟରେ ଭାରତ ପାଇଁ ଆସିଛି ବଡ ଖୁସିର ଖବର । ଭାରତ ଶୀଘ୍ର ଆମେରିକା ସହ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଉପରେ ଦସ୍ତଖତ କରିବାରେ ପ୍ରଥମ ଦେଶ ହୋଇପାରେ । ଆମେରିକାର ଅର୍ଥ ମନ୍ତ୍ରୀ ସ୍କଟ ବେସେଣ୍ଟ ଏହି ସଙ୍କେତ ଦେଇ କହିଛନ୍ତି ଯେ, ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।
ଯଦି ଏହି ଡିଲ୍ ଚୂଡାନ୍ତ ହୁଏ ତେବେ ଭାରତ ଟ୍ରମ୍ପଙ୍କ ରେସିପ୍ରୋକାଲ ଟାରିଫ ନୀତିରୁ ବତ୍ତିବାରେ ପ୍ରଥମ ଦେଶ ହୋଇଯିବ । ଆମେରିକା ଅର୍ଥମନ୍ତ୍ରୀଙ୍କ ଏହି ବୟାନ ଏମିତି ସମୟରେ ଆସିଛି ଯେତେବେଳେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଭାରତ ଗସ୍ତରେ ଅଛନ୍ତି । ଆମେରିକା ବର୍ତ୍ତମାନ ଭାରତର ରପ୍ତାନୀ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଉଛି । ମାତ୍ର ୨୬ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବା ନେଇ ମଧ୍ୟ ଚେତାବନୀ ଦେଇ ସାରିଛି । ଏହାକୁ ୯୦ ଦିନ ପାଇଁ ସ୍ଥଗିତ ରଖିଛି ଆମେରିକା । ଆଉ ଏହି ଅବଧି ଜୁଲାଇ ୮ରେ ଶେଷ ହେଉଛି ।
ବେସେଣ୍ଟ ୱାଶିଂଟନରେ ଏକ ରାଉଣ୍ଡ ଟେବୁଲ ଆଲୋଚନାରେ କହିଛନ୍ତି ଯେ, ଭାରତ ଉଚ୍ଚ ଶୁଳ୍କ ଲଗାଉନି କି ଅଣ ଶୁକ୍ଳ ସମସ୍ୟା ବି ନାହିଁ । ନା କୌଣସି ମାନିପୁଲେସନ ରହିଛି ନା ବଡ ସବସିଡି ସୁବିଧା ରହିଛି । ଏମିତିରେ ଭାରତ ସହ ଡିଲ୍ କରିବା ଅପେକ୍ଷାକୃତ ସହଜ । ଭାରତ ଗସ୍ତରେ ଥିବା ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ଜୟପୁର ଗସ୍ତରେ ଭାରତ ସହ ବଜାର ଖୋଲିବା, ଆମେରିକା ଏନର୍ଜି ଓ ପ୍ରତିରକ୍ଷା ଉତ୍ପାଦର କ୍ରୟ ବଢାଇବା ଦାବି କରି ସାରିଛନ୍ତି ।
ଆମେରିକାର ୨୦୨୪ରେ ଭାରତ ସହ କାରବାର ଘାଟା ୪୫.୭ ବିଲିୟନ ଡଲାର ଥିଲା । ଭାରତଠୁ ଆମେରିକାକୁ ୩ ପ୍ରତିଶତ ଆମଦାନୀ ମିଳିଛି । ଏହା ବାଦ ଦୁଇ ଦେଶ ମଧ୍ୟରେ ସମ୍ବନ୍ଧ ପ୍ରଗାଢ ହେବାରେ ଲାଗିଛି । ବର୍ତ୍ତମାନ ଟ୍ରମ୍ପଙ୍କ ନୀତି ଅନୁସାରେ ଯଦି କୌଣସି ଦେଶ ଆମେରିକା ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲଗାଏ ତେବେ ଆମେରିକା ସେହି ଅନୁପାତରେ ଟାରିଫ ଲାଗୁ କରିବ । ଭାରତ ପାଇଁ ଏହି ଟାରିଫ ୨୬ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ, ଯାହାକୁ ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।