ନୂଆଦିଲ୍ଲୀ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ସାଉଦି ଆରବ ୪୭୦୦ରୁ ଅଧିକ ପାକିସ୍ତାନୀ ଭିକାରୀଙ୍କୁ ଦେଶରୁ ବହିଷ୍କାର କରିଛି । ଏହି ସବୁ ଲୋକ ନକଲି ଭିସା ଓ ଉମରାହ କିମ୍ବା ହଜ୍ ବାହାନାରେ ସାଉଦି ଆରବ ପହଞ୍ଚିଥିଲେ । ମାତ୍ର ସେଠାରେ ବେଆଇନ ଭାବେ ଭିକ ମାଗୁଥିବା ଅବସ୍ଥାରେ ଧରା ପଡିଛନ୍ତି । ଏହି ଘଟଣା ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହୋଇଥିବା କୁହାଯାଉଛି ।
ପ୍ରତିରକ୍ଷା ମନ୍ତ୍ରୀ ଆସିଫ କହିଛନ୍ତି, ପାକିସ୍ତାନରେ ପ୍ରାୟ ୨.୨ କୋଟି ଭିକାରୀ ଅଛନ୍ତି । ସେମାନେ ବର୍ଷକୁ ୪୨ ବିଲିୟନ ଟଙ୍କା ଆୟ କରନ୍ତି । ଏହି ସବୁ ଲୋକ ବିଦେଶରେ ଭିକ ମାଗି ଦେଶର ଛବି ମଳିନ କରୁଛନ୍ତି । ସାଉଦି ଆରବରେ ଭିକ ମାଗିବା ନେଇ କଡା ଆଇନ ରହିଛି । ଏହାରି ଆଧାରରେ ଭିକାରୀଙ୍କୁ ଜରିମାନା, ଜେଲ୍ କିମ୍ବା ନିର୍ବାସନର ସମ୍ମୁଖୀନ ହେବାକୁ ପଡିଥାଏ ।
ପାକିସ୍ତାନର ମନ୍ତ୍ରୀ କହିଛନ୍ତି, ମଧ୍ୟପ୍ରାଚ୍ୟ ଦେଶଗୁଡିକରେ ବଡ ସଂଖ୍ୟାରେ ପାକିସ୍ତାନୀ ଭିକାରୀଙ୍କୁ ବାହାର କରାଯାଉଛି । କେବଳ ସାଉଦି ଆରବରୁ ଅତି କମରେ ୪୭୦୦ ପାକିସ୍ତାନୀ ଭିକାରୀଙ୍କୁ ଦେଶରୁ ବାହାର କରାଯାଇଛି । ଏହା ପୂର୍ବର ପାକିସ୍ତାନର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି(ଏଫଆଇଏ) ନିଜର ଏକ ରିପୋର୍ଟରେ ଦାବି କରିଥିଲା ଯେ, ସାଉଦି ଆରବ ୨୦୨୧ରୁ ୨୦୨୪ ମଧ୍ୟରେ ୪ ହଜାର ଭିକାରୀଙ୍କୁ ପାକିସ୍ତାନ ପଠାଇଥିଲା ।
ଏଫଆଇଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବହିଷ୍କୃତ ଭିକାରୀମାନେ ବିଶେଷ କରି ଦକ୍ଷିଣ ପଞ୍ଜାବ, କରାଚି ଓ ସିଂଘ କ୍ଷେତ୍ରରୁ ଅଟନ୍ତି । ସେ କହିଛନ୍ତି ଏମିତି ପେଶାଦାର ଭିକାରୀ ସଜା ପୂରା କରିବା ପରେ ଯେମିତି ପାକିସ୍ତାନ ଫେରନ୍ତି, ସେମାନଙ୍କ ନାଁକୁ ପାକିସ୍ତାନ କଂଟ୍ରୋଲ ଲିଷ୍ଟ(ପିସିଏଲ)ରେ ପକାଇ ଦିଆଯାଏ, ଯଦ୍ୱାରା ସେମାନେ ଭବିଷ୍ୟତରେ ଯେମିତି ବିଦେଶ ଯାତ୍ରା କରି ପାରିବେ ନାହିଁ ।