ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ନେତା ଭାବେଶ ଚନ୍ଦ୍ର ରୟଙ୍କୁ ତାଙ୍କ ଘରୁ ଅପହରଣ କରି ପିଟି ପିଟି ହତ୍ୟା କରିବା ଘଟଣାକୁ ନେଇ ବାଂଲାଦେଶଠୁ ନେଇ ଭାରତରେ ଜବରଦସ୍ତ ଆକ୍ରୋଶ ଦେଖିବାକୁ ମିଳିଛି । ଭାରତ ଏହି ଘଟଣାକୁ ଜଘନ୍ୟ ଦର୍ଶାଇ ବାଂଲାଦେଶ ସରକାରଙ୍କୁ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଚେତାଇଛି । ଆଉ ବାହାନା କରିବା ବନ୍ଦ କରନ୍ତୁ ବୋଲି ଭାରତ ୟୁନୁସ ସରକାରଙ୍କୁ ଚେତାବନୀ ଦେଇଛି । ଏହା ମଧ୍ୟରେ ବାଂଲାଦେଶ ଲେଖିକା ତସଲିମା ନସରିନ ୟୁନୁସ ସରକାର ଉପରେ ଗୁରୁତର ଅଭିଯୋଗ ଲଗାଇଛନ୍ତି । ଏହା ସହିତ ତାଙ୍କୁ କ୍ଷମତାରୁ ହଟାଇବାକୁ ସେ ଦାବି କରିଛନ୍ତି । ଆଉ କହିଛନ୍ତି ବାଂଲାଦେଶ ହିନ୍ଦୁ ତେବେ ବଞ୍ଚିବ ଯେବେ ୟୁନୁସଙ୍କ ବିଦାୟ ହେବ ।
ଲେଖିକା ତସଲିମା ନସରିନ ଭାବେଶ ଚନ୍ଦ୍ରଙ୍କ ନୃଶଂସ ହତ୍ୟାକୁ ନେଇ ବାଂଲାଦେଶ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ହିନ୍ଦୁ ନେତା ଭାବେଶ ଚନ୍ଦ୍ର ରୟଙ୍କୁ ତାଙ୍କ ଘରୁ ଅପହରଣ କରି ନିଆଗଲା ଏବଂ ପିଟି ପିଟି ହତ୍ୟା କରାଗଲା । ଆମେ ନିଶ୍ଚିତ ଜାଣି ପାରୁଛୁ ହତ୍ୟାକାରୀ କିଏ ? ୟୁନୁସ ହିନ୍ଦୁଙ୍କ ହତ୍ୟା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଅନ୍ତି ନାହିଁ । ଓଲଟା ସେ ପ୍ରଚାର କରନ୍ତି ଯେ, ବାଂଲାଦେଶରେ ହିନ୍ଦୁ ଠିକ୍ ଅଛନ୍ତି । ହିନ୍ଦୁଙ୍କ ଉତ୍ପୀଡନର ଖବର ମିଥ୍ୟା ଅଟେ । ଏହି ଗୁଜବ ଭାରତ ପ୍ରଚାର କରୁଛି ବୋଲି ୟୁନୁସ ସର୍ବଦା କହି ଆସିଛନ୍ତି । ଯଦି ୟୁନୁସ କ୍ଷମତାରେ ରହିବେ ତେବେ ବାଂଲାଦେଶରେ ଶୀଘ୍ର ହିନ୍ଦୁ ଖାଲି ହୋଇଯିବେ । ହିନ୍ଦୁଙ୍କୁ ବଞ୍ଚାଇବାକୁ ହେଲେ ୟୁନୁସକୁ କ୍ଷମତାରୁ ହଟାଇବାକୁ ପଡିବ ବୋଲି ତସଲିମା କହିଛନ୍ତି ।
ଘଟଣା କଣ ?
ଗତ ସପ୍ତାହରେ ବାଂଲାଦେଶର ଦିନାଜପୁର ଜିଲ୍ଲାର ବିରାଲ ଉପଖଣ୍ଡରେ ହିନ୍ଦୁ ସମୁଦାୟର ବଡ ନେତା ଭାବେଶ ଚନ୍ଦ ରୟଙ୍କୁ ଚରମପନ୍ଥୀ ଅପହରଣ କରି ନେଇଥିଲେ । ତାଙ୍କୁ ପିଟି ପିଟି ନୃଶଂସ ଭାବେ ହତ୍ୟା କରିଥିଲେ । ଭାବେଶ ଶତଗ୍ରାମ ୟୁନିୟନ ଅନ୍ତର୍ଗତ ବାସୁଦେବପୁର ଗାଁର ବାସିନ୍ଦା ଥିଲେ । ସେ ବିରାଲ ୟୁନିଟର ବାଂଲାଦେଶ ପୂଜା ଉଦଯାପନ ପରିଷଦର ଉପ ସଭାପତି ଥିଲେ । ସେ ସ୍ଥାନୀୟ ହିନ୍ଦୁ ସମୁଦାୟରେ ଜଣେ ସମ୍ମାନିତ ନେତା ଥିଲେ ।