ଆଜି ସକାଳ 8ଘଣ୍ଟା 32ମିନିଟରେ ବଙ୍ଗୋପସାଗରରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲ୍ରେ 5.1 ତୀବ୍ରତାର ଭୂକମ୍ପ ଝଟ୍କା ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜୀ (NCS) ପକ୍ଷରୁ ସୂଚନା ଜାରି କରାଯାଇଛି। ବାଂଲାଦେଶ ରାଜଧାନୀ ଢାକାରେ ମୃଦୁ କମ୍ପନ ଅନୁଭୂତ ହୋଇଥିବା ବେଳେ କେନ୍ଦ୍ରସ୍ଥଳ ଢାକାର ଦକ୍ଷିଣପଶ୍ଚିମ ଠାରୁ 529 କି.ମି. ଦୂର ବୋଲି ଜଣାପଡ଼ିଛି। କୋକ୍ସ ବଜାରର ଦକ୍ଷିଣ-ପୂର୍ବକୁ 340 କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ଚିଟାଗଙ୍ଗ ଠାରୁ ଦକ୍ଷିଣପଶ୍ଚିମକୁ 397 କି.ମି. ଦୂରରେ କେନ୍ଦ୍ରସ୍ଥଳ ବୋଲି ସୂଚନା ମିଳିଛି।
ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ ବଙ୍ଗୋପସାଗରରେ ପ୍ରାୟ 10 କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିଲା। ବାଂଲାଦେଶ ପାଣିପାଗ ବିଭାଗର ଜଣେ ଅଧିକାରୀ ବଙ୍ଗଳା ଟ୍ରିବ୍ୟୁନାକୁ କହିଛନ୍ତି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଦିଗରେ, ଭାରତର ଅତି ନିକଟବର୍ତ୍ତୀ।