ନୂଆଦିଲ୍ଲୀ, ଜୁଲାଇ ୦୪ (ଖବର ଓଡ଼ିଶା):
ପୂର୍ବ ଲଦାଖରେ ଚୀନ୍ ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନା ନେଇ ଭାରତକୁ ଦୃଢ ସମର୍ଥନ କରିଛି ଜାପାନ । ଶୁକ୍ରବାର ଦିନ ଜାପାନ କହିଛି ଯେ ଏହି ଅଞ୍ଚଳର ସ୍ଥିତି ପରିବର୍ତ୍ତନ କରିବାକୁ କୌଣସି ଏକପାଖିଆ ଉଦ୍ୟମ ବିରୁଦ୍ଧରେ ଆମେ ଛିଡା ହୋଇଛୁ । ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କୁ ଭେଟିବା ପରେ ଜାପାନର ରାଷ୍ଟ୍ରଦୂତ ସତୋଶୀ ସୁଜୁକି କହିଛନ୍ତି ଯେ କଥାବାର୍ତ୍ତା ମାଧ୍ୟମରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଜାପାନ ଆଶା କରୁଛି।
ସେ କହିଛନ୍ତି, ବୈଦେଶିକ ସଚିବ ଶ୍ରୀଙ୍ଗଲାଙ୍କ ସହ ମୋର ଭଲ ବାର୍ତ୍ତାଳାପ ହୋଇଥିଲା। ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସରକାରଙ୍କ ନୀତି ସମେତ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ର ବର୍ତ୍ତମାନର ସ୍ଥିତି ବିଷୟରେ ଅବଗତ କରାଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଜାପାନ ମଧ୍ୟ ଆଶା କରୁଛି । ସ୍ଥିତି ପରିବର୍ତ୍ତନ କରିବାକୁ କୌଣସି ଏକପାଖିଆ ପ୍ରୟାସକୁ ଜାପାନ ବିରୋଧ କରୁଛି। "ଗତ ସାତ ସପ୍ତାହ ଧରି ପୂର୍ବ ଲଦାଖର ଅନେକ ସ୍ଥାନରେ ଭାରତୀୟ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ବିବାଦ ଲାଗି ରହିଛି।
15 ଜୁନ୍ ରେ ଗାଲଭାନ୍ ଉପତ୍ୟକାରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ 20 ଜଣ ଭାରତୀୟ ସୈନିକ ଶହୀଦ ହେବା ପରେ ଉତ୍ତେଜନା ବୃଦ୍ଧି ପାଇଛି । ଯଦିଓ ଏହି ସଂଘର୍ଷରେ ଚୀନ୍ ସୈନିକମାନେ ମଧ୍ୟ ମୃତାହତ ହୋଇଥିଲେ ମଧ୍ୟ ଚୀନ୍ ଏପର୍ଯ୍ୟନ୍ତ କୌଣସି ବିବରଣୀ ଦେଇନାହିଁ । ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ପୂର୍ବ ଲଦାଖର ସମସ୍ତ ଅଞ୍ଚଳରେ ସ୍ଥିତି ପୁନଃସ୍ଥାପିତ କରିବାକୁ ଭାରତ ଜିଦ୍ ଧରିଛି ।
ଏହି ବୈଠକରେ ଶ୍ରୀଙ୍ଗଲା ଜାପାନର ରାଷ୍ଟ୍ରଦୂତଙ୍କୁ ପୂର୍ବ ଲଦାଖର ସମଗ୍ର ପରିସ୍ଥିତି ଏବଂ ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ବିଷୟରେ ଅବଗତ କରିଥିବା ନେଇ ଜଣାପଡିଛି । ଏହି ସମୟରେ, ଭାରତ ଗୁରୁବାର ଦିନ କହିଛି ଯେ ଦୁଇଦେଶ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ଚୀନ୍ ଶୀଘ୍ର ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାର ପୁନରୁଦ୍ଧାରକୁ ନିଶ୍ଚିତ କରିବା ଉଚିତ ।