ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ସାମ୍ନାକୁ ଆସିଛି । ଆମେରିକୀୟ ବାୟୁ ପ୍ରତିରକ୍ଷା ଏଜେନ୍ସି ନର୍ଥ ଆମେରିକନ ଏୟାରୋସ୍ପେସ ଡିଫେନ୍ସ କମାଣ୍ଡ ଶନିବାର ଏକ ଯାତ୍ରୀବାହୀ ବିମାନକୁ ଏଫ-୧୬ ଲଢୁଆ ବିମାନ ସାହାଯ୍ୟରେ ଠାବ କରିଛି । ଏହି ବିମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବେଡମିନଷ୍ଟର ସ୍ଥିତ ଗୋଲ୍ଫ କ୍ଲବ ଉପରେ ଉଡୁଥିଲା । ଆଉ ସେହି ସମୟରେ ଉକ୍ତ ଆକାଶ ମାର୍ଗରେ ନୋ ଫ୍ଲାଇ ଜୋନ ଘୋଷିତ କରାଯାଇଥିଲା । ତଥାପି ବିମାନଟି ଉଡୁଥିଲା ।
ଇଣ୍ଟରସେପ୍ଟ ସମୟରେ ଏଫ-୧୬ ବିମାନ ହେଡବଟ ରଣନୀତି ଆପଣେଇ ନାଗରିକ ବିମାନର ଆଗରେ ଉଡିଥିଲା । ଯଦ୍ୱାରା ବିମାନର ଧ୍ୟାନ ଆକର୍ଷିତ କରାଯାଇ ପାରିବ । ଏହା ପରେ ବିମାନକୁ ସୁରକ୍ଷିତ ଭାବେ ବର୍ଜିତ ଆକାଶ ମାର୍ଗରୁ ବାହାରକୁ ଅଣା ଯାଇଥିଲା । ସୂଚନାଯୋଗ୍ୟ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂପ୍ରତି ଛୁଟି ମନାଇବା ପାଇଁ ନ୍ୟୁ ଜର୍ସିରେ ଅଛନ୍ତି । ତାଙ୍କର ଉପସ୍ଥିତି କାଣରୁ ଉକ୍ତ ଅଞ୍ଚଳର ଆକାଶ ମାର୍ଗକୁ ଅସ୍ଥାୟୀ ଭାବେ ନୋ ଫ୍ଲାଇଙ୍ଗ ଜୋନ ଭାବେ ଘୋଷିତ କରାଯାଇଛି । ତଥାପି ଯାତ୍ରୀବାହୀ ବିମାନ ଉଡିବା ଟ୍ରମ୍ପଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ପରିଲଖିତ ହୋଇଛି । ତେବେ ଅଧିକାରୀ କହିଛନ୍ତି ଯେ, ଏହି ଘଟଣାରେ ଟ୍ରମ୍ପଙ୍କ ସୁରକ୍ଷା କିମ୍ବା କାର୍ଯ୍ୟକ୍ରମରେ କୌଣସି ପ୍ରଭାବ ପଡିନାହିଁ ।
ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ମଧ୍ୟ ଫ୍ଲୋରିଡାରେ ଟ୍ରମ୍ପଙ୍କ ବାସଭବନ ମାର ଏ ଲୋଗୋ ଉପରେ ନୋ ଫ୍ଲାଇଙ୍ଗ ଜୋନ ଘୋଷିତ କରାଯାଇଥିଲା । ତଥାପି ଏହାର ଉଲ୍ଲଂଘନ ହୋଇଥିଲା । ସେହି ସମୟରେ ମଧ୍ୟ ଏଫ-୧୬ ଲଢୁଆ ବିମାନକୁ ପଠାଯାଇ ଯାତ୍ରୀବାହୀ ବିମାନକୁ ଚେତାବନୀ ଦିଆଯାଇଥିଲା । ଏମିତି ବଢୁଥିବା ଘଟଣାକୁ ନେଇ ଏଜେନ୍ସି ଚିନ୍ତା ପ୍ରକାଶ କରିଛି ଏବଂ ପାଇଲଟମାନଙ୍କୁ ଅନୁରୋଧ କରିଛି ଯେ, ଉଡାଣ ଭରିବା ପୂର୍ବରୁ ଏୟାରମ୍ୟାନ ଏବଂ ଟିଏଫଆରର ସୂଚନା ଅବଶ୍ୟ ନିଅନ୍ତୁ ।