ୱାଶିଂଟନ୍: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କମଳା ହ୍ୟାରିସ୍ ଓ ଡୋନାଲ୍ଡ ଟ୍ରମ୍ପ ଲଗାତାର ପ୍ରଚାର କରୁଛନ୍ତି। ଏହାରି ମଧ୍ୟରେ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଟ୍ରମ୍ପଙ୍କୁ ତୃତୀୟ ଥର ପାଇଁ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ହୋଇଛି। ତେବେ ସେ ସୁରକ୍ଷିତ ଅଛନ୍ତି। ଏଥର ଟ୍ରମ୍ପଙ୍କୁ ଆକ୍ରମଣ କରିବାକୁ ଆସିଥିବା ବ୍ୟକ୍ତି ଜଣକ ପୂର୍ବତନ ରାଷ୍ଟ୍ରପତିଙ୍କ ରାଲି ସ୍ଥଳଠାରୁ ଅଳ୍ପ ଦୂରରେ ଧରାପଡ଼ିଥିଲେ।
ସୂଚନାଯୋଗ୍ୟ, ଟ୍ରମ୍ପଙ୍କୁ ପୂର୍ବରୁ ଦୁଇଥର ଆକ୍ରମଣ କରାଯାଇଛି। ଗତ ଜୁଲାଇ ୧୩ରେ ଟ୍ରମ୍ପଙ୍କୁ ପେନ୍ସିଲଭେନିଆର ବଟଲରରେ ମାଥ୍ୟୁ କ୍ରୁକ୍ସ ଗୁଳି କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ସେ ନିହତ ହୋଇଥିଲେ। ଏହାପରେ ସେପ୍ଟେମ୍ବରରେ ତାଙ୍କୁ ଆକ୍ରମଣ କରିବାକୁ ଦ୍ୱିତୀୟ ଉଦ୍ୟମ ହୋଇଥିଲା। ଗଲ୍ଫ କୋର୍ସରେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ରିୟାନ୍ ୱେସ୍ଲି ରାଉତଙ୍କୁ ଗିରଫ କରାଯାଇଥିଲା।
ତୃତୀୟ ଥର ପାଇଁ ଟ୍ରମ୍ପଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ନାମ ୱେମ୍ ମିଲର। ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ଘଟଣାସ୍ଥଳରୁ ଅଳ୍ପ ଦୂରରେ ଥିବା ୱେମ୍ ମିଲରଙ୍କୁ ସୁରକ୍ଷାକର୍ମୀମାନେ ଗିରଫ କରିଥିଲେ। ତା' ନିକଟରୁ ଗୋଟିଏ ବୋଝେଇ ବନ୍ଧୁକ ଓ ନକଲି ପ୍ରେସ୍ ଆଇକାର୍ଡ ଜବତ ହୋଇଛି। ଟ୍ରମ୍ପଙ୍କ ରାଲି ପାଇଁ ମଧ୍ୟ ତାଙ୍କର ପାସ୍ ଥିଲା। ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ୱେମ୍ ମିଲର୍ ଲାସ୍ ଭେଗାସ୍ର ବାସିନ୍ଦା।
ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି ଡୋନାଲ୍ଡ ଟ୍ରମ୍ପ ଏବଂ କମଳା ହାରିସଙ୍କ ମଧ୍ୟରେ। ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ହେଉଛନ୍ତି କମଳା ହାରିସ୍, ଯିଏ ବର୍ତ୍ତମାନ ଉପରାଷ୍ଟ୍ରପତି ପଦରେ ଅଛନ୍ତି। ସେହିପରି ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଅଛନ୍ତି।
ଅଧିକ ପଢ଼ନ୍ତୁ: ଇସ୍ରାଏଲ୍ର ସାମରିକ ଘାଟିକୁ ଟାର୍ଗେଟ କଲା ହେଜବୁଲ୍ଲା