ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର କହିଛନ୍ତି, ସେ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ମିଚିଗାନରେ ଆୟୋଜିତ ଏକ ପ୍ରଚାର କାର୍ଯ୍ୟକ୍ରମରେ ଆମେରିକା ବାଣିଜ୍ୟ ଉପରେ ଭାଷଣ ଦେବା ଅବସରରେ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ବୋଲି ଘୋଷଣା କରିଛନ୍ତି। ସେପ୍ଟେମ୍ବର ୨୧ରେ ପ୍ରଧାନମନ୍ତ୍ରୀ ମୋଦୀ ତିନି ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି।
ସେପ୍ଟେମ୍ବର ୨୧ରୁ ଆରମ୍ଭ ହେବାକୁ ଥିବା ତିନିଦିନିଆ ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀବାର୍ଷିକ କ୍ୱାଡ୍ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଜାତିସଂଘ ସାଧାରଣ ସଭାରେ 'ଭବିଷ୍ୟତ ଶିଖର ସମ୍ମିଳନୀ'କୁ ମଧ୍ୟ ସମ୍ବୋଧିତ କରିବେ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୨୨ରେ ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟର ଏକ ସମାବେଶକୁ ସମ୍ବୋଧିତ କରିବେ।
ବାର୍ଷିକ କ୍ୱାଡ୍ ଶିଖର ସମ୍ମିଳନୀ ଡେଲାୱେରରେ ଅନୁଷ୍ଠିତ ହେବ, ଯାହାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆୟୋଜନ କରିବେ। ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବାଇଡେନଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନି ଏବଂ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଧ୍ୟ ଯୋଗ ଦେବେ।
୨୦୨୦ମସିହାରେ ଟ୍ରମ୍ପ ଭାରତ ଗସ୍ତରେ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଶେଷ ଥର ପାଇଁ ସାକ୍ଷାତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହିତ କରୁଥିବା ପାର୍ଥ ବ୍ରେକିଂ ମୁଭମେଣ୍ଟ ବୋଲି ବର୍ଣ୍ଣନା କରିଥିଲେ। ୨୦୧୯ରେ ଜୀ-୨୦ ଶିଖର ସମ୍ମିଳନୀ ପୂର୍ବରୁ ଜାପାନର ଓସାକାରେ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ୨୦୧୭ରେ ଆସିଆନ୍ ଶିଖର ସମ୍ମିଳନୀ ଅବସରରେ ଦୁଇ ନେତା ମାନିଲାରେ ସାକ୍ଷାତ କରିଥିଲେ।
ଅଧିକ ପଢ଼ନ୍ତୁ: ଜାଣନ୍ତୁ ଟେକ୍ନୋଲୋଜି କାମ କରେ କେମିତି