କିଛି ଦିନ ହେବ ହୂତି ବିଦ୍ରୋହୀଙ୍କ ଉତ୍ପାତରେ ଅଶାନ୍ତ ହୋଇ ପଡିଛି ଲୋହିତ ସାଗର। ୟେମେନର ଏହି ବିଦ୍ରୋହୀ ମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି ପଣ୍ୟ ଜାହାଜ। ଏଥିପାଇଁ ଆମଦାନୀ-ରପ୍ତାନୀରେ ପଡୁଛି ପ୍ରଭାବ। ଏଥିଯୋଗୁ ଜାହାଜରେ ଭାରତରୁ ୟୁରୋପକୁ ତୈଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ ଜନିତ ଖର୍ଚ୍ଚ ବଢ଼ିଯାଇଛି। ଏହି କାରଣରୁ ୟୁରୋପ ପରିବର୍ତ୍ତେ ଏସିଆର ବିଭିନ୍ନ ଦେଶକୁ ଭାରତରୁ ଅଧିକ ମାତ୍ରାରେ ଡିଜେଲ ରପ୍ତାନି ହେଉଛି।
ଗତ କିଛି ମାସ ମଧ୍ୟରେ ୟେମେନର ରାଜଧାନୀ ସାନା ସିଟିର ଅଧିକାଂଶ ଅଂଚଳକୁ ନିୟନ୍ତ୍ରଣ କରୁଥିବା ଏହି ହୂତି ବିଦ୍ରୋହୀ ମାନେ ପ୍ରାୟ ୧୦୦ରୁ ଅଧିକ ମାଲବାହି ଜାହାଜ କ୍ଷତିଗ୍ରସ୍ତ କରି ସାରିଥିବା ବେଳେ ଗାଜାରେ ପାଲେଷ୍ଟାନିୟଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିଉତ୍ତରରେ ରଣହୁଙ୍କାର ଦେଉଛନ୍ତି ହୂତି ବିଦ୍ରୋହୀ। ଗାଜାରେ ଆକ୍ରମଣ ବନ୍ଦ ନ ହେବା ଯାଏ ଏହି ବିଦ୍ରୋହ ଜାରି ରହିବ ବୋଲି କହଛନ୍ତି ହୂତି ବିଦ୍ରୋହୀମାନେ। ଏପରି କାର୍ଯ୍ୟକଳାପ ପାଇଁ ବିଶ୍ୱ ବାଣିଜ୍ୟ କାରବାର ପ୍ରଭାବିତ ହେବା ସହ ଦରଦାମ ସ୍ଥିତି ଉତ୍କଟ ହେବାର ଆଶଙ୍କା କରା ଯାଉଛି।ଗାଜା ଉପରେ ହେଉଥିବା ଆକ୍ରମଣର ପ୍ରତିବାଦରେ ଗତ ବର୍ଷ ଅକ୍ଟୋବର ମାସ ପରଠାରୁ ହୂତି ବିଦ୍ରୋହୀ ମାନେ ଲୋହିତ ସାଗରରେ ଯାତାୟାତ କରୁଥିବା ଇସ୍ରାଏଲ ସହ ଜଡିତ ସମସ୍ତ ବାଣିଜ୍ୟିକ ଜାହାଜ ଗୁଡିକୁ ଟାର୍ଗେଟ କରୁଛନ୍ତି।
୨୦୨୨ ମସିହାଠାରୁ ଭାରତରୁ ୟୁରୋପକୁ ଡିଜେଲ ରପ୍ତାନିର ସ୍ଥିତିକୁ ଦେଖିଲେ ଏହା ଚଳିତମାସରେ ସର୍ବନିମ୍ନ ସ୍ତରକୁ ଖସିଆସିଛି। ଲୋହିତ ସାଗରରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ କାରଣରୁ ବୀମା ଓ ମାଲ ପରିବହନ ଖର୍ଚ୍ଚ ବହୁ ଅଧିକ ହୋଇଯାଇଛି। ଏଥିସହିତ ଏସିଆର କେତେକ ଦେଶରେ ଯୋଜନାହୀନ ଭାବେ ବିଶୋଧନାଗାରଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉଛି। ଫଳରେ ସେସବୁ ଦେଶରେ ତୈଳ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଅପର ପକ୍ଷରେ ହୁତି ଆକ୍ରମଣ ଆଶଙ୍କା କାରଣରୁ ୟୁରୋପ ଯିବାକୁ ଥିବା ଜାହାଜଗୁଡ଼ିକ ଦକ୍ଷିଣ ଆଫ୍ରିକାର କେପ୍ ଅଫ୍ ଗୁଡ୍ ହୋପ୍ ଦେଇ ଯାଉଛନ୍ତି। ଯାତ୍ରାପଥ ବଢ଼ିଯିବାରୁ ସେମାନଙ୍କ ପରିବହନ ସମୟ ଓ ଖର୍ଚ୍ଚ ବଢ଼ିଯାଉଛି। ଫେବ୍ରୁଆରି ମାସର ପ୍ରଥମ ଦୁଇ ସପ୍ତାହରେ ଭାରତରୁ ୟୁରୋପରେ ଦୈନିକ ମାତ୍ର ୧୮ ହଜାର ବ୍ୟାରେଲ ଡିଜେଲ ପହଞ୍ଚିଛି। ଜାନୁଆରି ମାସରେ ଦୈନିକ ପହଞ୍ଚୁଥିବା ହାରାହାରି ଡିଜେଲ ତୁଳନାରେ ଏହା ୯୦ ପ୍ରତିଶତ କମ୍ ବୋଲି ଏକ ତଥ୍ୟରୁ ଜଣାଯାଇଛି।
ପ୍ରାୟ କିଛି ମାସ ପୂର୍ବରୁ ଲୋହିତ ସାଗର ଦେଇ ତୁର୍କୀରୁ ଭାରତ ଆସୁଥିବା ଏକ ମାଲବାହି ଜାହାଜ 'ଗାଲାକ୍ସି ଲିଡର'କୁ ଇସ୍ରାଏଲର ଜାହାଜ ଭାବିନେଇ ହୂତି ମାନେ ଆକ୍ରମଣ କରିଥିଲେ। ଏହା ପୂର୍ବରୁ ଆରବ ସାଗରରେ ଭାରତ ଆସୁଥିବା ଏମ/ଭି କେମି ପୁଲଟୋ ଓ ଲୋହିତ ସାଗରରେ ସାଇ ବାବା ଜାହାଜ ଉପରେ ଆକ୍ରମଣ କରାଯାଇଥିଲା। ଏ ନେଇ ତଦନ୍ତ ଚାଲୁ ରହିଥିବା ବେଳେ ଭାରତୀୟ ନୌସେନା ଆରବ ସାଗରରେ ୩ଟି ଯୁଦ୍ଧପୋତ ଆଇ ଏନ ଏସ ମୋରମୁଗାଓ, ଆଇ ଏନ ଏସ କୋଲକାତା, ଆଇ ଏନ ଏସ କୋଚି ମୁତୟନ କରିଛି।
ଅଧିକ ପଢନ୍ତୁ: ମହାରାଷ୍ଟ୍ର ବିଧାନସଭାରେ ମରାଠା ସରଂକ୍ଷଣ ବିଲ୍ ପାରିତ