ପରିଶେଷରେ ମହାରାଷ୍ଟ୍ର ବିଧାନସଭାରେ ମରାଠା ସଂରକ୍ଷଣ ବିଲ୍ ପାରିତ ହୋଇଯାଇଛି। ବିଧାନସଭାରେ ସର୍ବସମ୍ମତି କ୍ରମେ ଏହି ବିଲ୍ ପାରିତ ହୋଇଥିବା ସୂଚନା ମିଳିଛି। ଏହି ବିଲ୍ ବିଧାନ ପରିଷଦରେ ଉପସ୍ଥାପିତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହେବ। ଏହି ବିଲ୍ ଦ୍ୱାରା ମରାଠା ସମ୍ପ୍ରଦାୟଙ୍କ ପାଇଁ ଉଭୟ ଶିକ୍ଷା ଏବଂ ସରକାରୀ ଚାକିରିରେ ୧୦ ପ୍ରତିଶତ ଆରକ୍ଷଣ ରହିବ ବୋଲି ସ୍ଥିର ହୋଇଛି। ରାଜ୍ୟରେ ୫୨% ଆରକ୍ଷଣ ଥିବା ବେଳେ ଏବେ ଏହା ୬୨ % ହେବାକୁ ଯାଉଛି।
ସୂଚନାଯୋଗ୍ୟ ଯେ, ପ୍ରାୟ ୨.୫ କୋଟି ପରିବାରକୁ ନେଇ ଏକ ସର୍ଭେ ଆଧାରରେ ମହାରାଷ୍ଟ୍ର ରାଜ୍ୟ ପଛୁଆ ଶ୍ରେଣୀ ଆୟୋଗ ଏକ ରିପୋର୍ଟ ଦାଖଲ କରିଥିଲେ। ଏହି ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ମରାଠା ସମ୍ପ୍ରଦାୟ ସାମାଜିକ, ଅର୍ଥନୈତିକ ଏବଂ ଶିକ୍ଷା କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଉପସ୍ଥାପନ କରାଯାଇଥିଲା। ଗତ ଫେବୃଆରୀ ୧୬ରେ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ପଠା ଯାଇଥିଲା। ତେବେ ପରିଶେଷରେ ଏହି ରିପୋର୍ଟ ଆଧାରରେ ଉପସ୍ଥାପିତ ବିଲକୁ ସମ୍ମତି ମିଳିଛି। ଏହା ପୂର୍ବରୁ ରାଜ୍ୟ କ୍ୟାବିନେଟରେ ବିଲକୁ ମଞ୍ଜୁରୀ ମିଳିଥିଲା।
ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ବିଧାନସଭାରେ ଏହି ସଂରକ୍ଷଣ ବିଲ୍ ଉପସ୍ଥାପନ କରିବା ସମୟରେ ଏହାକୁ ପୂର୍ଣ୍ଣ ସମର୍ଥନ ସହ ପାସ୍ କରିବାକୁ ନିବେଦନ କରିଥିଲେ।
ଅଧିକ ପଢନ୍ତୁ: ଆନ୍ଦୋଳନରୁ ଓହରିଲା ସଚିବାଳୟ ସେବା ସଂଘ