କୋଲକାତା: ବାଂଲାଦେଶରେ ହିଂସା ଜାରି ରହିଛି। ହିନ୍ଦୁ ଧର୍ମଗୁରୁ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ମାମଲା ଲଢ଼ୁଥିବା ଆଇନଜୀବୀ ରମଣ ରାୟଙ୍କ ଉପରେ ଆକ୍ରମଣ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇସ୍କନ କୋଲକାତା ମୁଖପାତ୍ର ରାଧାରମଣ ଦାସ ସୋମବାର ଏହି ଦାବି କରିଛନ୍ତି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟରେ ଦାସ ଲେଖିଛନ୍ତି, ଦୟାକରି ଆଇନଜୀବୀ ରମଣ ରାୟଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ତାଙ୍କର ଏକମାତ୍ର ଭୁଲ ଥିଲା ଯେ ସେ ଚିନ୍ମୟ କୃଷ୍ଣ ପ୍ରଭୁଙ୍କୁ କୋର୍ଟରେ ରକ୍ଷା କରିଥିଲେ। ଇସଲାମିକ ମୌଳବାଦୀମାନେ ତାଙ୍କ ଘରେ ଭଙ୍ଗାରୁଜା କରିବା ସହ ତାଙ୍କୁ ଗୁରୁତର ଆକ୍ରମଣ କରି ଆଇସିୟୁକୁ ନେଇଥିଲେ, ଯେଉଁଠାରେ ସେ ଜୀବନ ସହ ସଂଗ୍ରାମ କରୁଛନ୍ତି।
ଏକ ବଙ୍ଗଳା ଚ୍ୟାନେଲକୁ ସାକ୍ଷାତକାର ଦେଇ ଶ୍ରୀ ଦାସ କହିଛନ୍ତି ଯେ ଏହି ଘଟଣା ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ଅଧିକାର ପାଇଁ ସମର୍ଥନ କରୁଥିବା ଲୋକଙ୍କ ପ୍ରତି ବଢୁଥିବା ବିପଦକୁ ଦର୍ଶାଉଛି। ସୂଚନାଯୋଗ୍ୟ, ନଭେମ୍ବର ୨୫ ତାରିଖରେ ଚିନ୍ମୟ ଦାସଙ୍କୁ ବାଂଲାଦେଶରେ ଗିରଫ କରାଯାଇ ମଙ୍ଗଳବାର କୋର୍ଟ ଜାମିନ ନାମଞ୍ଜୁର କରି ଜେଲ୍ ପଠାଇ ଦେଇଥିଲେ।
ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ କହିଛନ୍ତି ଯେ ଇମ୍ଫାଲ ପଶ୍ଚିମ ଜିଲ୍ଲାରୁ ୨୯ ଜଣ ସନ୍ଦିଗ୍ଧ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ଠାରୁ ଆସାମରେ ଦିଆଯାଇଥିବା ଆଧାର କାର୍ଡ ଜବତ କରାଯାଇଛି। ସୂଚନା ମିଳିବା ପରେ ପୁଲିସ ସୋମବାର ବେକେରୀରେ କାମ କରୁଥିବା ଲୋକଙ୍କୁ ଗିରଫ କରିଛି।
ବାଂଲାଦେଶର ବୈଦେଶିକ ପରାମର୍ଶଦାତା ମହମ୍ମଦ ତୌହିଦ ହୁସେନ୍ କହିଛନ୍ତି ଯେ ଏହି ସରକାର ସମସ୍ତଙ୍କୁ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛନ୍ତି ଯେ ସେମାନେ କୌଣସି ପ୍ରକାର ସାମ୍ପ୍ରଦାୟିକ କାର୍ଯ୍ୟକଳାପକୁ ବରଦାସ୍ତ କରିବେ ନାହିଁ। ସରକାର ହିନ୍ଦୁ ଓ ମୁସଲମାନଙ୍କୁ ସମାନ ଭାବରେ ଦେଖନ୍ତି। ଆଇନ ନିଜ ନିଜ ଉପାୟରେ କାମ କରିବ। ଯଦି କେହି ଗଣ୍ଡଗୋଳ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଧିକ ପଢ଼ନ୍ତୁ: ଆଜିଠୁ ରାଷ୍ଟ୍ରପତିଙ୍କ ୫ଦିନିଆ ଓଡ଼ିଶା ଗସ୍ତ