ଗୁରୁବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁବାଇ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଦୁବାଇ ବିମାନବନ୍ଦରରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ସତେ ଯେମିତି ଉତ୍ସବମୁଖର ହୋଇପଡ଼ିଥିଲା ଦୁବାଇ ବିମାନବନ୍ଦର । ଦୁବାଇରେ ଥିବା ପ୍ରବାସୀ ଭାରତୀୟମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀଙ୍କ ଆଗମନ ପାଇଁ ଭାରତୀୟମାନଙ୍କ ବନ୍ଦେ ମାତାରାମ ଏବଂ ଭାରତ ମାତା କି ଜୟଙ୍କ ସ୍ଲୋଗାନରେ ବିମାନବନ୍ଦର ଗୁଂଜରିତ ହୋଇଯାଇଥିଲା ।
ସୂଚନା ଅନୁସାରେ, ଆଜି ଦୁବାଇରେ ଅନୁଷ୍ଠିତ ହେଉଥିବା COP-28 ର ବିଶ୍ୱ ଜଳବାୟୁ ଆକ୍ସନ୍ ସମ୍ମିଳନୀରେ ଯୋଗଦେବା ସହିତ ବିଶ୍ୱ ଜଳବାୟୁ କାର୍ଯ୍ୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ୟୁଏଇ ଉପପ୍ରଧାନମନ୍ତ୍ରୀ ହାତରେ ହାତ ମିଳାଇ ସ୍ୱାଗତ କରିବା ସହିତ ଆଲିଙ୍ଗନ ମଧ୍ୟ କରିଥିଲେ । ପରେ ଭାରତୀୟ ପ୍ରବାସୀମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ହାତ ମିଳାଇ ଫଟୋ ଉଠାଇବା ସହିତ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ । ଆୟୋଜିତ ହୋଇଥିବା ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ବିଷୟରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ଆଉ ଏହି ସମ୍ମିଳନୀ ଆସନ୍ତା ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଭାରତରେ ଆୟୋଜିତ ହୋଇଥିବା G -20 ଶିଖର ସମ୍ମିଳନୀ ସଫଳ ହେବାପରେ ଭାରତର ସ୍ଥାନ ଏବେ ବିଶ୍ଵ ଦରବାରରେ ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ଆଉ ଏହି ସମ୍ମିଳନୀରେ ଜଳବାୟୁର ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଜଳବାୟୁର ସ୍ଥିତି ଧୀରେ ଧୀରେ ସଙ୍ଗୀନ ହେବାରେ ଲାଗିଛି । ସେଥିପାଇଁ ଦୁବାଇରେ ଏହି ବିଶ୍ୱ ଜଳବାୟୁ ଆକ୍ସନ୍ ସମ୍ମିଳନୀ ଆୟୋଜନ କରାଯାଉଛି ।