ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ୍ ପୁରସ୍କାର ପାଇଁ ନାମାଙ୍କନ କରିଥିବା ପାକିସ୍ତାନୀ ସେନା ଓ ସରକାରକୁ ପୁଣି ଥରେ ବିଶ୍ୱ ମଞ୍ଚରେ ଅପଦସ୍ତ ହେବାକୁ ପଡିଛି । ଗତ ସପ୍ତାହରେ ପାକିସ୍ତାନର ସେନା ପ୍ରମୁଖ ଆସିମ ମୁନୀର ଆମେରିକା ଗସ୍ତ କରି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସାକ୍ଷାତ କରିଥିଲେ । ଏହି ବୈଠକ ପରେ କଳ୍ପନା ଜଳ୍ପନା ଲାଗି ରହିଥିଲା ଯେ, ଆମେରିକାକୁ ପାକିସ୍ତାନ ପକ୍ଷରୁ ଇରାନ ହମଲାରେ ସହାୟତା କରାଯାଇପାରେ । ଆମେରିକା ପକ୍ଷରୁ ମୁନୀରଙ୍କୁ ଦିଆଯାଇଥିବା ଲଞ୍ଚ ବଦଳରେ ପାକିସ୍ତାନ ନିଜର ଏୟାରବେସ ଓ ସମୁଦ୍ରକୁ ବ୍ୟବହାର କରିବା ପାଇଁ ଆମେରିକାକୁ ଅନୁମତି ଦେଇପାରେ । ଏଠାରୁ ହି ଆମେରିକାର ଇରାନ ଉପରେ ହମଲା ପ୍ରସ୍ତୁତି ହୋଇଥିଲା ।
ଅନ୍ୟପଟେ ଟ୍ରମ୍ପଙ୍କୁ ମୁନୀର ସାକ୍ଷାତ କରିବା ପରେ ନୋବେଲ ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାଁରେ ନାମାଙ୍କନ କରିଥିଲା ପାକିସ୍ତାନ । ଏବେ ଏହାକୁ ନେଇ ପାକିସ୍ତାନ ଭିତରେ ତୀବ୍ର ବିରୋଧର ସ୍ୱର ଉଠିବାରେ ଲାଗିଛି । ଏହାର କାରଣ ଶାନ୍ତିଦୂତ କୁହାଯିବା ପରେ ଆମେରିକା ପକ୍ଷରୁ ଇରାନର ପରମାଣୁ ଆଡା ଉପରେ ହମଲା କରାଯାଇଛି । ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ତଥା ବରିଷ୍ଠ ସାମ୍ବାଦିକ ମଲିହା ଲୋଧି କଡା ଶବ୍ଦରେ ପାକିସ୍ତାନ ସରକାରଙ୍କ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଯେଉଁ ଲୋକେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ନୋବେଲ୍ ମାଗିଛନ୍ତି ସେମାନଙ୍କୁ ଏବେ କ୍ଷମା ମାଗିବା ଉଚିତ୍ । ସେମାନଙ୍କୁ ନିଜ କର୍ମ ଉପରେ ଦୁଃଖ ବ୍ୟକ୍ତ କରିବା ଉଚିତ୍ ।
ମଲିହା ଲୋଧୀଙ୍କ ବ୍ୟତୀତ ଅନ୍ୟ ଜଣେ ଲେଖକ ଜାହିଦ ହୁସେନ ମଧ୍ୟ ପାକିସ୍ତାନ ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଏକ୍ସରେ ଲେଖିଛନ୍ତି, ଆମର ନୋବେଲ୍ ଶାନ୍ତି ପୁରସ୍କାର ନୋମିନି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ବୋମା ମାଡ କରିଛନ୍ତି । ଆଉ ଦୁନିଆକୁ ଆଉ ଏକ ବରବାଦର ମୁହାଣରେ ଛିଡା କରାଇଛନ୍ତି । ଏପରିକି ପାକିସ୍ତାନ ସରକାର ଓ ସେନାକୁ ସଂସଦରେ ଘେରା ଯାଉଛି । ଅନ୍ୟପଟେ ଖୋଦ୍ ପାକିସ୍ତାନର ଅନେକ ସାଂସଦ କହୁଛନ୍ତି ଯେ, ଦୁନିଆକୁ ଏହି ସନ୍ଦେଶ ଯାଇଛି ଯେ, ପାକିସ୍ତାନ ନିଜର ଏୟାରବେସ୍ ଆମେରିକାକୁ ଦେବ । ଦୁନିଆରେ ଆମେ ପୁଣି ଥରେ ଅପଦସ୍ଥ ହୋଇଛନ୍ତି ।