ନୂଆଦିଲ୍ଲୀ: ଆମେରିକାର ଆକ୍ରମଣ ପରେ ଇରାନ ପ୍ରତିଜବାବରେ ଇସ୍ରାଏଲର ଅନେକ ସହର ଉପରେ ଜୋରଦାର ହମଲା କରିଛି । ତେଲ ଅଭିଭ, ହାଇଫା ସମେତ ଅନେକ ସହରରେ ସାଇରନର ଶବ୍ଦ ଶୁଣିବାକୁ ମିଳୁଛି । ଇସ୍ରାଏଲର ଅଧିକାଂଶ ସହରକୁ ଆଲର୍ଟରେ ରଖାଯାଇଛି । ଇରାନ ଇସ୍ରାଏଲ ଉପରେ ପାଲଟା ଆକ୍ରମଣ କରିଥିବା ଇସ୍ରାଏଲ ସେନା କହିଛନ୍ତି । ଲୋକଙ୍କୁ ବଙ୍କରରେ ଲୁଚି ରହିବାକୁ ଅନୁରୋଧ କରାଯାଇଛି ।
ଇସ୍ରାଏଲ ମିଡିଆ ଅନୁସାରେ ଇରାନ ବାଲିଷ୍ଟିକ ମିସାଇଲ ଜରିଆରେ ଉତ୍ତର ଓ ମଧ୍ୟ ଇସ୍ରାଏଲର ସହର ହାଇଫା, ନେସ ଜିୟୋନା, ରିଶୋନ ଲେଜିୟମ, ତେଲ ଅଭିଭ ଉପରେ ଆକ୍ରମଣ କରିଛି । ଇରାନର ନ୍ୟୁଜ ଚ୍ୟାନେଲରେ ମଧ୍ୟ ହମଲାର ଚିତ୍ର ପ୍ରସାରିତ ହୋଇଛି । ଆମେରିକାର ବୋମା ବର୍ଷଣ ପରେ ଇରାନ ଇସ୍ରାଏଲ ଉପରେ ଘନ ଘନ ମିସାଇଲ ମାଡ କରି ଚାଲିଛି । ଏଥିରେ ଇସ୍ରାଏଲର ଆତଙ୍କ ଖେଳି ଯାଇଛି ।
ଇରାନର ମିସାଇଲ ହମଲାରେ ଇସ୍ରାଏଲରେ ଅନେକ ଲୋକ ଆହତ ହୋଇଛନ୍ତି । କିନ୍ତୁ ମୃତାହତକୁ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥିତି ଦେଖିଲେ କୁହାଯାଇ ପାରିବ ଯେ, ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଗମ୍ଭୀର ହେବାରେ ଲାଗିଛି । ଅନ୍ୟପଟେ ଆମେରିକା ଦ୍ୱାରା ଇରାନର ତିନି ଆଣବିକ କେନ୍ଦ୍ର ଉପରେ ହମଲା ହେବା ପରେ ମିଳିତ ଜାତିସଂଘରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ମିଳିତା ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ କାଳୀନ ବୈଠକ ଡକାଇବାକୁ ଦାବି କରିଛନ୍ତି ।
ଇରାନର ରାଷ୍ଟ୍ରଦୂତ କହିଛନ୍ତି, ଆମେରିକା ଇରାନ ଉପରେ ହମଲା କରି ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ କରିଛି । ଦୁନିଆର ସବୁଠୁ ଶକ୍ତିଶାଳୀ ଏବଂ ଦାୟିତ୍ୱ ସଂପନ୍ନ ଦେଶ ଭାବେ ଆମେରିକାର ଏମିତି ଆକ୍ରମଣ କଦାପି ଗ୍ରହଣୀୟ ନୁହେଁ । ଏଥିିପାଇଁ ବିଶ୍ୱ ସମୁଦାୟ ଆମେରିକାକୁ ଉତ୍ତରଦାୟୀ କରନ୍ତୁ । ଆମେରିକାର ଏମିତି ହମଲାକୁ କଡା ନିନ୍ଦା କରାଯାଉ ।