ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ସଂଘର୍ଷର ଦଶମ ଦିନରେ ଆମେରିକା ଏଣ୍ଟ୍ରି କରିଛି । ଆମେରିକା ଇରାନର ତିନି ଆଣବିକ କେନ୍ଦ୍ର ଉପରେ ବୋମା ମାଡ କରିଛି । ତେବେ ଟ୍ରମ୍ପ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ପାକିସ୍ତାନ କେବଳ ନିନ୍ଦା କରିନି ବରଂ ଏହି ଯୁଦ୍ଧରେ ତେହରାନର ଆତ୍ମରକ୍ଷାର ପୂରା ଅଧିକାର ଥିବା କହିଛି । ଏହା ପୂର୍ବରୁ ପାକିସ୍ତାନର ସେନା ମୁଖ୍ୟ ଆସିମ ମୁନୀର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଲଞ୍ଚ କରିଥିଲେ । ଏହା ପରେ ପାକିସ୍ତାନ ସମର୍ଥନ କରିବ ବୋଲି ଆମେରିକା ଆଶା କରିଥିଲା । ମାତ୍ର ଠିକ୍ ଏହାର ବିପରୀତ ଘଟିଛି । ଆମେରିକାର ଇରାନ ଉପରେ ହମଲାକୁ ପାକିସ୍ତାନ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି କହିଛି ।
ପାକିସ୍ତାନ ପକ୍ଷରୁ ଜାରି ବୟାନରେ ଇରାନର ଆଣବିକ କେନ୍ଦ୍ର ଉପରେ ଆମେରିକାର ହମଲା ଭୁଲ ଅଟେ । ଏହା ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ । ଏବେ ଇରାନକୁ ଆତ୍ମରକ୍ଷା କରିବାର ପୂରା ଅଧିକାର ରହିଛି । ଭାରତ-ପାକିସ୍ତାନ ସଂଘର୍ଷ ସମୟରେ ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପକୁ ପ୍ରଶଂସା କରୁଥିବା ପାକିସ୍ତାନ ଏବଂ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କୁ ସମର୍ଥନ ଦେବାର ଗୋଟିଏ ଦିନ ପରେ ପାକିସ୍ତାନ ନିଜର ଆଭିମୁଖ୍ୟ ବଦଳାଇ ଦେଇଛି । ଇରାନର ଆଣବିକ ପ୍ରତିଷ୍ଠାନ ଉପରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନର କଡା ସମାଲୋଚନା କରିଛି ପାକିସ୍ତାନ ।
ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମେ ଏହି କ୍ଷେତ୍ରରେ ଉତ୍ତେଜନା ବଢିବାର ସମ୍ଭାବନାକୁ ନେଇ ଚିନ୍ତିତ । ଇରାନ ବିରୋଧରେ ଚାଲିଥିବା ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ କାରଣରୁ ଉତ୍ତେଜନା ଓ ହିଂସା ବଢିବାକୁ ଯାଉଛି । ଏହା ସଭିଙ୍କ ପାଇଁ ହାନୀକାରକ ହୋଇପାରେ । ଆମେରିକାର ଏହି ହମଲା ଅନ୍ତର୍ଜାତୀୟ ଆଇନର ସବୁ ମାନଦଣ୍ଡର ଉଲ୍ଲଂଘନ କରିଛି । ଇରାନକୁ ମିଳିତ ଜାତିସଂଘର ନିୟମ ଅନୁସାରେ ନିଜର ଆତ୍ମରକ୍ଷା କରିବାର ସବୁ ଅଧିକାର ରହିଛି ।