ବୁଧବାର ଅର୍ଥାତ ମାଘ ପଞ୍ଚମୀ ତିଥିରେ ଉଦଘାଟନ ହେବାକୁ ଯାଉଛି ଆବୁଧାବିର ସୁବୁଠୁ ବଡ଼ ହିନ୍ଦୁ ମନ୍ଦିର। ଆଉ ମାତ୍ର ଅଳ୍ପ ସମୟର ଅପେକ୍ଷା ପରେ ମୁସଲିମ ଦେଶରେ ପୂଜା ପାଇବେ ହିନ୍ଦୁ ଦେବତା । UAEର ରାଜଧାନୀ ଆବୁଧାବିରେ ପ୍ରତିଷ୍ଠା ହେବ ପ୍ରଥମ ପାରମ୍ପାରିକ ହିନ୍ଦୁ ମନ୍ଦିର । ‘ବେଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ବାମୀ ନାରାୟଣ ସଂସ୍ଥା’-BAPS ପକ୍ଷରୁ ଏହି ମନ୍ଦିରର ପରିକଳ୍ପନା କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିବେ।ତେବେ ଏହାପୂର୍ବରୁ ସାମ୍ନାକୁ ଆସିଛି ମନ୍ଦିରର ଭବ୍ୟ ଦୃଶ୍ୟ। ନାଗର ଶୈଳୀରେ ନିର୍ମାଣ ହୋଇଥିବା ମନ୍ଦିର ଗୁଜରାଟର ସୋମନାଥ, କାଶୀ ବିଶ୍ବନାଥଙ୍କ ମନ୍ଦିରର ଭ୍ରମ ସୃଷ୍ଟି କରୁଥିବା ବେଳେ ଗ୍ରାନାଇଟ୍ ଓ ଧଳା ମାର୍ବଲରେ ମନ୍ଦିରକୁ ନିର୍ମାଣ କରାଯାଇଛି। ତେବେ ୟୁଏଇରେ ଏହା ପ୍ରଥମ ଉଚ୍ଚତମ ହିନ୍ଦୁ ମନ୍ଦିର ।
BAPS ହିନ୍ଦୁ ମନ୍ଦିର ଆବୁଧାବିର ମୁରେଖା ଜିଲ୍ଲାରେ ରହିଛି । ଏହି ପ୍ରକଳ୍ପ କାର୍ଯ୍ୟ ମହନ୍ତ ସ୍ବାମୀ ମହାରାଜଙ୍କ ନିର୍ଦ୍ଦେଶରେ ବ୍ରହ୍ମବିହାରୀଦାସ ସ୍ବାମୀ ତଦାରଖ କରୁଥିଲେ । ତେବେ ଏହି ମନ୍ଦିରର ଉଦଘାଟନୀ ସମାରୋହକୁ ହାରମୋନି ଫେଷ୍ଟିଭାଲ ଭାବେ ପାଳନ କରାଯିବ ।ଉଦଘାଟନୀ ଉତ୍ସବରେ ପ୍ରାୟ 2ରୁ 5ହଜାର ଭକ୍ତ ମନ୍ଦିରରେ ଦର୍ଶନ କରିବା ନେଇ ବୈଦେଶିକ ସଚିବ ବିନୟ ମୋହନ କ୍ବାତ୍ରା ସୂଚନା ଦେଇଛନ୍ତି । ମନ୍ଦିରର ପ୍ରତିଟି କୋଣ ଓ ପ୍ରାଚୀରରେ ଭାରତୀୟ ସଭ୍ୟତା ଓ ସଂସ୍କୃତିର ଝଲକ ରହିଥିବା ବେଳେ ମନ୍ଦିରର ପାର୍ଶ୍ୱ ଦେବା ଦେବୀ ଓ କଳା ମଧ୍ୟ ଏକ ଦିବ୍ୟ ଅନୁଭୂତି ଆଣିଛି। ଦିନ ସମୟରେ ନିଜ କଳା ଓ ଭାସ୍କର୍ଯ୍ୟରେ ଝଟକୁଥିବା ମନ୍ଦିର ରାତି ସମୟରେ ଲେଜର ଲାଇଟରେ ଅଧିକ ଚମକୁଛି।
ଏହି ପରିପ୍ରେକ୍ଷୀରେ BAPS ହିନ୍ଦୁ ମନ୍ଦିରର ଉଦଘାଟନ ପୂର୍ବରୁ ଅର୍ଥାତ ସୋମବାର ଦିନ ଆଧ୍ୟାତ୍ମିକ ଗୁରୁ ମହନ୍ତ ସ୍ୱାମୀ ମହାରାଜ ପୂର୍ବରୁ ଆବୁଧାବିରେ ପହଞ୍ଚିଛନ୍ତି। ୟୁଏଇର ପ୍ରଥମ ହିନ୍ଦୁ ମନ୍ଦିରର ଐତିହାସିକ ଉଦ୍ଘାଟନୀ ଉତ୍ସବରେ ସ୍ୱାମୀ ରାଜ୍ୟ ଅତିଥି ଭାବରେ ଯୋଗ ଦେବେ।
୨୦୧୫ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବୁଧାବି ଗସ୍ତ ବେଳେ ଏହାର ପରିକଳ୍ପନା ଓ ଯୋଜନା ପ୍ରସ୍ତୁତ ହୋଇଥିଲା। ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହାନ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦେଶ ଗସ୍ତ ସମୟରେ ମନ୍ଦିର ନିର୍ମାଣ ପାଇଁ ୧୩.୫ ଏକର ଜମି ଦାନ କରିଥିଲେ। ଏହାପରେ 2018 ମସିହାରେ ମନ୍ଦିରର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଜାନୁୟାରୀ ୨୦୧୯ ରେ ୟୁଏଇ ସରକାର ପୁଣିଥରେ ୧୩.୫ ଏକର ଜମି ବଣ୍ଟନ କରିଛନ୍ତି। ତେବେ ସମୁଦାୟ ୨୭ ଏକର ଜମି ମନ୍ଦିର ପାଇଁ ଉପହାର ଦିଆଯାଇଛି। 2019 ମସିହାରୁ ଆରମ୍ଭ ହୋଇଥିଲା ମନ୍ଦିର ନିର୍ମାଣ କାର୍ଯ୍ୟ।
ଏହି ଭବ୍ୟ ମନ୍ଦିର ଭାରତୀୟ ସଂସ୍କୃତିର ଆତ୍ମାକୁ ପ୍ରତିଫଳିତ କରିବା ସହ ଏହା ଭାରତ ଏବଂ ୟୁଏଇ ମଧ୍ୟରେ ଥଇବବ ବନ୍ଧୁତ୍ୱର ଏକ ପ୍ରମାଣ ହେବ।
ଅଧିକ ପଢନ୍ତୁ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ହେବ ରଥକାଠ ଅନୁକୂଳ