କାହିରା: ଦକ୍ଷିଣ ଗାଜାର ଖାନ ୟୁନିସ ସହରର ଅବାସାନ ଅଞ୍ଚଳରେ ମଙ୍ଗଳବାର ଏକ ସ୍କୁଲ ବାହାରେ ତମ୍ବୁରେ ରହୁଥିବା ଲୋକଙ୍କ ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଏହି ଆକ୍ରମଣରେ ଅତିକମରେ ୨୯ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି। ହମାସ ଦ୍ବାରା ପରିଚାଳିତ ଗାଜା ସରକାରଙ୍କ ମିଡିଆ କାର୍ଯ୍ୟାଳୟ ଏହି ସୂଚନା ଦେଇଛି। ଆକ୍ରମଣ ପରେ ବହୁ ସଂଖ୍ୟାରେ ଲୋକ ଘଟଣାସ୍ଥଳରୁ ପଳାୟନ କରିଛନ୍ତି। ଅନ୍ୟ ଏକ ଖବର ଅନୁସାରେ ଇସ୍ରାଏଲର ଏହି କାର୍ଯ୍ୟାନୁଷ୍ଠାନ ଦ୍ବାରା ଗତ ଜୁନ ୨୭ରୁ ଏପର୍ଯ୍ୟନ୍ତ ୧୫୦ ଜଣଙ୍କର ମୃତ୍ୟୁ ହୋଇଛି।
ଗାଜାରେ ଯୁଦ୍ଧବିରାମ ଉଦ୍ୟମ ମଧ୍ୟରେ ଇସ୍ରାଏଲ ମଙ୍ଗଲବାର ସିରିଆରେ ହିଜବୁଲ୍ଲାର ଠିକଣାକୁ ଟାର୍ଗେଟ କରିଛି। ଇସ୍ରାଏଲର ନେତାଙ୍କ ଜଣେ ପୂର୍ବତନ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ସିରିଆ-ଲେବାନନ ସୀମା ନିକଟରେ ସିରିଆରେ ଇସ୍ରାଏଲ ଡ୍ରୋନ୍ ଆକ୍ରମଣର ରିପୋର୍ଟ କିଛି ଘଣ୍ଟା ପରେ ଆସିଛି।
ଲେବାନନ ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ୍ଲାର ଅଧିକାରୀ ନିଜର ନାମ ଗୋପନ କରି କହିଛନ୍ତି, ବ୍ରିଟେନ୍ସ୍ଥିତ ଯୁଦ୍ଧ ନିଗରାନୀ କରୁଥିବା ସିରିଆ ଅବଜରଭେଟରୀ ଫର ହ୍ୟୁମାନ ରାଇଟ୍ସ କହିଛି, ଆକ୍ରମଣରେ କାରରେ ଯାଉଥିବା ହିଜବୁଲ୍ଲାର ୨ ଜଣ ସଦସ୍ୟଙ୍କୁ ନିହତ କରାଯାଇଛି।
ଗାଜାରେ ଯୁଦ୍ଧବିରାମ ନେଇ ମଧ୍ୟସ୍ଥତା ମଧ୍ୟରେ ବୁଧବାର ଦୋହାରେ ପୁଣି ଥରେ ଆଲୋଚନା ହେବ। ଏହା ପୂର୍ବରୁ ମିସରର ରାଷ୍ଟ୍ରପତି ଅବଦଲେ ଫତେହ ଅଲ-ସୀସୀ ଏବଂ ଆମେରିକା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ସଂସ୍ଥାର ନିର୍ଦ୍ଦେଶକ ୱିଲିୟମ ବର୍ନ୍ସଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଇସ୍ରାଏଲ ଆକ୍ରମଣ ଭୟରେ ପାଲେଷ୍ଟାଇନ୍ର ପଳାୟନ ଉପରେ ହମାନ ଚେତାବନୀ ଦେଇଥିଲା ଯେ, ଏହା ଦ୍ବାରା ଯୁଦ୍ଧବିରାମ ବିପଦ ଆଡ଼କୁ ଯାଇପାରେ।